Tue. Oct 15th, 2019

କଂଗ୍ରେସରେ ଅସନ୍ତୋଷ, ରିପୁନାଥ କହିଲେ ୨୦୧୭ ଭୁଲକୁ ରିପିଟ କରାଯାଇଛି

ଭୁବନେଶ୍ୱର : ବିଜେପୁର ଉପ ନିର୍ବାଚନ ପାଇଁ ପ୍ରତିପକ୍ଷ ରାଜନୈତିକ ଦଳ ବିଜେଡ଼ ଓ ବିଜେପି ପ୍ରସ୍ତୁତ ରହିଥିବା ବେଳେ କଂଗ୍ରେସରେ ଦେଖା ଦେଇଛି ବିଦ୍ରୋହ। ‌ଦିଲ୍ଲୀପ ପଣ୍ତାଙ୍କୁ ପ୍ରାର୍ଥୀ କରିଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ରିପୁ ନାଥ ସେଠ। ସେ କହିଛନ୍ତି କଂଗ୍ରେସକୁ ମୂଳପୋଛ କରିବାକୁ ଚକ୍ରାନ୍ତ କରାଯାଇଛି।

ଘରେ ନ ପଶୁଣୁ ଚାଳ ବାଜିବା ପରି ବିଜେପୁର​‌ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ବରିଷ୍ଠ ନେତା ରିପୁ ନାଥ ସେଠ ଦେଲେଣି ବିବାଦୀୟ ବୟାନ। ସେ ଖୋଲାଖୋଲି କହିଛନ୍ତି ୨୦୧୭ ଉପନିର୍ବାଚନର ଭୁଲକୁ ପୁଣି ରିପିଟ କରାଯାଇଛି। ଏହା ହେଉଛି କଂଗ୍ରେସକୁ ମୂଳପୋଛ କରିବା ପାଇଁ ଚକ୍ରାନ୍ତ। ଯାହାର ନମୁନା ହେଲା ଦିଲ୍ଲିପ ପଣ୍ଡାକୁ ଦଳ ବିଜେପୁର ପ୍ରାର୍ଥୀ କରିଛି। ଦଳର ବିପର୍ଯ୍ୟୟ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ନାକରି ମୁଁ କଂଗ୍ରେସର ଇଜତ ରଖିଲି। କିନ୍ତୁ ଏ ଉପନିର୍ବାଚନରେ ତାଙ୍କୁ ଦଳ କୌଣସି ଦାୟିତ୍ଵ ଦେଇନି ବୋଲି କହିଛନ୍ତି ରିପୁନାଥ।

ଅନ୍ୟପକ୍ଷରେ ଗୋଳେଇଲା ମତଦେଇ ପରି ପିସିସି ସଭାପତି ନିରଞ୍ଜନ କହୁଛନ୍ତି ବିଜେପୁରରେ ଦିଲ୍ଲୀପ ପଣ୍ଡାଙ୍କୁ ନେଇ କୌଣସି ଅସେନ୍ତୋଷ ନାହିଁ। ଯିଏ ଅସନ୍ତୋଷ ପ୍ରକାଶ କରୁଛନ୍ତି ତାହା ବ୍ୟକ୍ତିଗତ। ବରଂ ସେ କଂଗ୍ରେସ କର୍ମୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଯଦି ସେମାନେ କଂଗ୍ରେସର ସଚ୍ଚୋଟ କର୍ମୀ ହୋଇଥିବେ ତାହେଲେ ଦଳ ଯାହାକୁ ପ୍ରାର୍ଥୀ କରିଛି ତାଙ୍କୁ ସମର୍ଥନ କରିବେ।

ଦଳୀୟ ମହଲରେ ଚର୍ଚ୍ଚା ହେଉଛି ରିପୁନାଥ ପ୍ରତିକ୍ରିୟାଶୀଳ ହେବା ସ୍ଵାଭାବିକ। କାରଣ ସେ ଦଳପାଇଁ କାମ କରୁଛନ୍ତି। ବର୍ତ୍ତମାନ କଂଗ୍ରେସର ଯାହା ସ୍ଥିତି ଦିଲ୍ଲିପ ପଣ୍ଡା ପ୍ରତିପକ୍ଷ ଦଳକୁ ମୁକାବିଲା କରିପାରିବେନି। ରିପୁ କିମ୍ବା ତାଙ୍କ ପୁଅକୁ ପ୍ରାର୍ଥୀ କରିଥିଲେ ଫାଇଟ ହୋଇଥାନ୍ତା। ଯାହା ଅନୁମାନ କରାଯାଉଛି ବିଜେପୁରରେ କଂଗ୍ରେସର ଅବସ୍ଥା ପାଟକୁରା ଭଳି ହେବ। ଯେହେତୁ ଦଳ ନିଷ୍ପତ୍ତି ନେଇଛି ତା ଉପରେ ମୁହଁ ଖୋଲିବା ଠିକ ନୁହେଁ। କିନ୍ତୁ ଏପରି ନିଷ୍ପତ୍ତି କଂଗ୍ରେସ ପାଇଁ ଆଦୌ ଶୁଭଙ୍କର ନୁହେଁ।

ସୂଚନାଯୋଗ୍ୟ ୨୦୧୭ ବିଜେପୁର ଉପନିର୍ବାଚନରେ ପ୍ରଣୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଥିଲା। ସେ ଅମାନତ ହରାଥିଲେ। ୨୦୧୯ ସାଧରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ବିପକ୍ଷରେ କଂଗ୍ରେସରୁ ଲଢି ରିପୁନାଥ ପାଇଥିଲେ ୧୪ହଜାର ଭୋଟ। ଏବେ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ପଣ୍ଡା। ସେ କେତେ ଭୋଟ ପାଇବେ ତାହା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଥିବ। ସବୁଠାରୁ ବଡ କଥା ହେଲା ପାର୍ଥୀପତ୍ର ଦାଖଲ ପୂର୍ବରୁ ଦଳୀୟ ଅସନ୍ତୋଷ ପଦାକୁ ଆସିଲାଣି। ଆଉ ସ୍ପଷ୍ଠ ହେଲାଣି ରିପୁନାଥ ଅସହଯୋଗ କରିବେ। ତାଙ୍କ ସମର୍ଥକମାନେ କଂଗ୍ରେସକୁ ସହଯୋଗ କରିବେ ବୋଲି ମନେ ହେଉନି। ଏଭଳି ସ୍ଥିତିରେ କଂଗ୍ରେସ ପ୍ରାର୍ଥୀ କିପରି ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ମୁକାବିଲା କରିବେ ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *