ମାନହାନୀ ମାମଲାରେ ରାହୁଲଙ୍କୁ ଆଶ୍ଵସ୍ତି : ରହିତାଦେଶ ଜାରିକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମୋଦୀ ସାଙ୍ଗିଆ ଟିପ୍ପଣୀ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟ ରାୟରେ କହିଛନ୍ତି ଏହି ମାମଲାରେ ଟ୍ରାଏଲ୍‌ ଜଜ୍‌ ସର୍ବାଧିକ ଦୁଇବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। କିନ୍ତୁ ଦଣ୍ଡାଦେଶ ଗୋଟିଏ ଦିନ କମ୍‌ ହୋଇଥିଲେ ସେ ଅଯୋଗ୍ୟ ଘୋଷିତ ହୋଇ ନ ଥାନ୍ତେ। ହେଲେ ଟ୍ରାଏଲ୍‌ ଜଜ୍‌ ସର୍ବାଧିକ ଦଣ୍ଡାଦେଶ ଦିଆଯିବାର କାରଣ ଦର୍ଶାଇ ନଥିବାରୁ ଚୂଡ଼ାନ୍ତ ବିଚାର ହେବା ପର୍ଯ୍ୟନ୍ତ ରହିତାଦେଶ ଜାରି ରହିଲା। କୋର୍ଟ କହିଛନ୍ତି ଏକଥା ନିଃସନ୍ଦେହ ଆବେଦନକାରୀ ଦେଇଥିବା ଟିପ୍ପଣୀ ରୁଚିକର ନୁହେଁ। ଭାଷଣ ଦେବା ବେଳେ ଆବେଦନକାରୀ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ। ଅଯୋଗ୍ୟତାର ପରିଣାମ କେବଳ ବ୍ୟକ୍ତି ଅଧିକାରକୁ ପ୍ରଭାବିତ କରୁନାହିଁ ଭୋଟର୍‌ମାନଙ୍କୁ ପ୍ରଭାବିତ କରୁଛି।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଏହା ଖୁସିର ଦିନ …’ ମୁଁ ଆଜି ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିବି ଓ ଆଲୋଚନା କରିବି। ସେ ଆହୁରି କହିଛନ୍ତି ରାହୁଲ ଗାନ୍ଧୀଙ୍କ ବିରୋଧରେ ଷଡ଼ଯନ୍ତ୍ର ବିଫଳ ହୋଇଛି। ମୋଦୀଜିଙ୍କ ଉପରେ ରାହୁଲଙ୍କ ବିଜୟ ଭାରୀ ପଡ଼ିବ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଟୁଇଟ୍ କରି କହିଛନ୍ତି ଏହା ସତ୍ୟ ଓ ନ୍ୟାୟର ବିଜୟ। ସଚିନ ପାଇଲଟ ଟୁଇଟରରେ ଲେଖିଛନ୍ତି ସତ୍ୟମେବ ଜୟତେ। ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଦେଇ ଗଣତନ୍ତ୍ରର ସ୍ୱରକୁ ମଜଭୁତ କରିଛନ୍ତି। ଭାରତର ସ୍ୱର ପୁଣି ସଂସଦରେ ପ୍ରତିଫଳିତ ହେବ। ଦୃଢତା ପାଇଁ ମାନ୍ୟବର କୋର୍ଟଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *

Back to top button