ବିଶ୍ଵକପ୍ କ୍ରିକେଟ୍ : ଅକ୍ଟୋବର ୧୪ରେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦିନିକିଆ ବିଶ୍ଵକପର ୯ଟି ମ୍ୟାଚ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇଛି। ଘୋଷଣା ହୋଇଥିବା ନୂଆ କାର୍ଯ୍ୟସୂଚୀରେ ଭାରତ ଓ ପାକିସ୍ତାନ ଅକ୍ଟୋବର ୧୫ ପରିବର୍ତ୍ତେ ଅକ୍ଟୋବର ୧୪ରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ସେହିପରି ଅକ୍ଟୋବର ୧୪ରେ ଖେଳାଯିବାକୁ ଥିବା ଆଫଗାନିସ୍ତାନ-ଇଂଲଣ୍ଡ ମ୍ୟାଚ୍କୁ ଅକ୍ଟୋବର ୧୫କୁ ଘୁଞ୍ଚାଇ ଦିଆଯାଇଛି। ଦୁଇଦଳ ମଧ୍ୟରେ ଲଢ଼େଇ ରାଜଧାନୀ ଦିଲ୍ଲୀରେ ହେବ।

ସେହିପରି ଶ୍ରୀଲଙ୍କା ଓ ପାକିସ୍ତାନ ମୁକାବିଲା ତାରିଖ ମଧ୍ୟ ପରିବର୍ତ୍ତନ ହୋଇଛି। ଅକ୍ଟୋବର ୧୨ରେ ହାଇଦ୍ରାବାଦରେ ଉଭୟ ଦଳ ମ୍ୟାଚ୍ ଖେଳିଥାନ୍ତେ। କିନ୍ତୁ ଏବେ ଏହି ମ୍ୟାଚ୍ ଅକ୍ଟୋବର ୧୦ରେ ହାଇଦ୍ରାବାଦରେ ଖେଳାଯିବ। ଏହାଛଡା ଅକ୍ଟୋବର ୧୩ରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମ୍ୟାଚ୍ ଅକ୍ଟୋବର ୧୨ରେ ଲକ୍ଷ୍ନୌରେ ଖେଳାଯିବ। ବାଂଲାଦେଶ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଅକ୍ଟୋବର ୧୪ ପରିବର୍ତ୍ତେ ଅକ୍ଟୋବର ୧୩ରେ ଚେନ୍ନାଇରେ ହେବ। ସୂଚନାଯୋଗ୍ୟ ଶାରଦୀୟ ନବରାତ୍ରୀ ଆରମ୍ଭ ହେଉଥିବାରୁ ଭାରତ-ପାକ୍ ମ୍ୟାଚ ତାରିଖ ବଦଳାଇବାକୁ ସୁରକ୍ଷା ଏଜେନ୍ସିମାନେ ଆଇସିସି ଓ ବିସିସିଆଇକୁ କହିଥିଲେ। ଏହାକୁ ଆଇସିସି ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *

Back to top button