୧୬୯ଟି ସହରରେ ଚଳାଚଳ କରିବ ୧୦ ହଜାର ଇଲେକ୍ଟ୍ରିକ ବସ

ନୂଆଦିଲ୍ଲୀ : ଦେଶର ୧୬୯ଟି ସହରରେ ପ୍ରାୟ ୧୦ ହଜାର ନୂତନ ଇଲେକ୍ଟ୍ରିକ୍ ବସ୍ ଚଳାଚଳ କରିବ। ପବ୍ଲିକ୍ ପ୍ରାଇଭେଟ ପାର୍ଟନରସିପ୍ (ପିପିପି)ରେ ଚାଲିବାକୁ ଏହି ସେବା ପାଇଁ ଖର୍ଚ୍ଚହେବ ୫୭,୬୧୩ କୋଟି ଟଙ୍କା। ସେଥିମଧ୍ୟରୁ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ପ୍ରଦାନ କରିବେ। ଏଥିସହ ବିଶ୍ୱକର୍ମା ଯୋଜନାର ପ୍ରସ୍ତାବକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି।

ଖବର ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା। ଏଥିରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଦେଶର ୧୬୯ଟି ସହରରେ ପିପିପି ମଡେଲରେ ୧୦ ହଜାର ଇଲେକ୍ଟ୍ରିକ ବସ ୧୦ ବର୍ଷ ପାଇଁ ବସ୍ ଚଳାଚଳ କରିବ। ଏଥିପାଇଁ ୫୭,୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି।

ସେହିପରି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାଧୀନତା ଦିବସ ଅଭିଭାଷଣରେ କାରିଗରମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ। କେନ୍ଦ୍ର କ୍ୟାବିନେଟ ୨୦୨୩-୨୪ରୁ ୨୦୨୭-୨୮ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୧୩ ହଜାର କୋଟି ଟଙ୍କାର ବିଶ୍ୱକର୍ମା ଯୋଜନାକୁ ଅନୁମୋଦନ କରିଛି। ପରିବାର ଭିତ୍ତିକ ପାରମ୍ପରିକ କୌଶଳ ଅଭ୍ୟାସକୁ ସୁଦୃଢ଼ କରିବା ଓ ପ୍ରୋତ୍ସାହନ ଦେବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଶ୍ରୀ ବୈଷ୍ଣବଙ୍କ ସୂଚନା ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କାରିଗର ଓ ଶିଳ୍ପୀମାନଙ୍କୁ ପିଏମ ବିଶ୍ୱକର୍ମା ସାର୍ଟିଫିକେଟ୍ ଏବଂ ପରିଚୟପତ୍ର ପ୍ରଦାନ କରାଯିବ। ୫ ପ୍ରତିଶତ ରିହାତି ସୁଧ ହାରରେ ପ୍ରଥମ ପର୍ଯ୍ୟାୟ ୧ ଲକ୍ଷ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା ପ୍ରଦାନ କରାଯିବ। ଏହି ଯୋଜନାରେ ଦକ୍ଷତା ଉନ୍ନତି, ଉପକରଣ ପାଇଁ ସହାୟତା, ଡିଜିଟାଲ କାରବାର ପାଇଁ ପ୍ରୋତ୍ସାହନ ଓ ମାର୍କେଟିଂ ସହାୟତା ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ୧୮ଟି ପାରମ୍ପରିକ ବେଉସାକୁ ସାମିଲ କରାଯିବ। ଯେଉଁଥିରେ ବଢ଼େଇ, ଡଙ୍ଗା ନିର୍ମାତା, ଅସ୍ତ୍ରନିର୍ମାତା, କମାର, ହାତୁଡ଼ି ଓ ଉପକରଣ ନିର୍ମାତା, ତାଲା କାରିଗର, ବଣିଆ, କୁମ୍ଭାର, ମୂର୍ତ୍ତିକାରିଗର, ପଥର କଟାଳି, ମୋଚି, ଜୋତା କାରିଗର, ରାଜମିସ୍ତ୍ରୀ, ଝୁଡ଼ି/ମସିଣା/ଝାଡ଼ୁ/କପା ବୁଣାକାର, ଖେଳନା ଓ କଣ୍ଢେଇ କାରିଗର (ପାରମ୍ପରିକ), ଭଣ୍ଡାରୀ, ମାଳୀ, ଧୋବା, ଦରଜି ଓ ମାଛ ଜାଲ ନିର୍ମାତା ରହିଛନ୍ତି। ବିଶ୍ୱକର୍ମା ଯୋଜନା ଦ୍ୱାରା ୩୦ ଲକ୍ଷ କାରିଗର ପରିବାର ଉପକୃତ ହେବେ।

Leave a Reply

Your email address will not be published. Required fields are marked *

Back to top button