ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଭାଗରେ ହେବ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ। କିନ୍ତୁ ଭାରତୀୟ ନିର୍ବାଚନ କମିଶନ ଏଥିପାଇଁ ତାରିଖ ଘୋଷଣା କରିନଥିଲେ ହେଁ ବିଜେପି ଏ ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଖବର ଅନୁଯାୟୀ ଛତିଶଗଡ଼ର ୯୦ଟି ଆସନ ମଧ୍ୟରୁ ବିଜେପି ପ୍ରଥମ ପର୍ଯ୍ୟାୟରେ ୨୧ଟି ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେହିପରି ମହାରାଷ୍ଟ୍ର ବିଧାନସଭାର ୨୩୦ ଆସନ ମଧ୍ୟରୁ ୩୯ଟି ସ୍ଥାନରେ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଦିନକ ତଳେ ବସିଥିଲା। ଏଥିରେ ଦୁଇ ରାଜ୍ୟ ପାଇଁ କିଛି ପ୍ରାର୍ଥୀଙ୍କୁ ଚୟନ କରାଯିବା ସହିତ ଦଳର ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡିଛି।

ଛତିଶଗଡ଼ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ଦୁର୍ଗର ଲୋକସଭା ସାଂସଦ ବିଜୟ ବାଘେଲଙ୍କ ନାଁ ରହିଛି। ତାଙ୍କୁ ଦଳ ପାଟଣରୁ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନଥିବା ଜଣାପଡିଛି। ଦଳର ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୫ ଜଣ ମହିଳା, ଅନୁସୂଚିତ ଜନଜାତିରୁ ୧୦ ଜଣ ଓ ଅନୁସୂଚିତ ଜାତିରୁ ଜଣେ ରହିଛନ୍ତି। ସେହିପରି ମଧ୍ୟପ୍ରଦେଶର ପ୍ରାର୍ଥୀ ତାଲିକାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ନାଁ ନାହିଁ। ଦଳ ୫ ଜଣ ମହିଳା, ୮ ଜଣ ଅନୁସୂଚିତ ଜାତି ଓ ୧୩ ଜଣ ଅନୁସୂଚିତ ଜନଜାତିଙ୍କୁ ପ୍ରାର୍ଥୀ କରିଛି।

ଚର୍ଚ୍ଚା ହେଉଛି ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ଦଳୀୟ କର୍ମୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷକୁ ଜାଣିବା ଓ ଏହାର ସମାଧାନ ଲକ୍ଷ୍ୟରେ ବିଜେପି ଆଗୁଆ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସେହିପରି କର୍ଣ୍ଣାଟକରେ ବିଜେପି ହାରିବା ପରେ ଅନ୍ୟ ରାଜ୍ୟରେ ଯେପରି ଏହି ଅବସ୍ଥା ସୃଷ୍ଟି ନହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଚଳିତବର୍ଷ ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ହେବ। ରାଜସ୍ଥାନ ଓ ଛତିଶଗଡ଼ରେ ଏବେ କଂଗ୍ରେସ କ୍ଷମତାରେ ରହିଛି। ତେଲେଙ୍ଗାନାରେ କେସିଆର ଥିବାବେଳେ ବିଜେପି ମଧ୍ୟପ୍ରଦେଶ ଓ ମିଜୋ ନ୍ୟାଶନାଲ ଫ୍ରଣ୍ଟ ସମର୍ଥନରେ ମିଜୋରାମରେ ସରକାଗର ଗଠନ କରିଛି। ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତା ହାସଲ କରିବାକୁ ବିଜେପି ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *

Back to top button