ନିୟମଗିରି ଓ ରାୟଗଡ଼ାର ୧୦ ଆନ୍ଦୋଳନକାରୀଙ୍କୁ ବେଆଇନ ଗିରଫର ପ୍ରତିବାଦ

ଭୁବନେଶ୍ଵର : କାରଖାନା ପ୍ରଦୂଷଣ ଓ ବିସ୍ଥାପନକୁ ବିରୋଧ କରୁଥିବା ଜନଆନ୍ଦୋଳନକାରୀଙ୍କୁ ପୋଲିସ ଗିରଫ କରୁଥିବା ଅଭିଯୋଗ ଉଠିଛି। ରାୟଗଡ଼ାର କାଶୀପୁର ସିଜିମାଳି ଅଞ୍ଚଳର ୮ ଓ କଳାହାଣ୍ଡି ଜିଲ୍ଲା ନିୟମଗିରି ସୁରକ୍ଷା ସମିତିର ଦୁଇଜଣ ସଦସ୍ୟଙ୍କୁ ବେଆଇନ ଗିରଫଦାରୀର ଭୁବନେଶ୍ଵରରେ ହୋଇଛି ଗଣପ୍ରତିବାଦ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଗତ ୫ ତାରିଖରେ ନିୟମଗିରି ସୁରକ୍ଷା ସମିତିର ସଦସ୍ୟ କୃଷ୍ଣ ସିକକାଙ୍କୁ ସାଧା ପୋଷାକଧାରୀ ପୋଲିସ ପ୍ରଥମେ ଅପହରଣ କରିଥିଲେ। ଏହାର ପ୍ରତିବାଦରେ ହାଇକୋର୍ଟରେ ହେବିୟସ୍ କର୍ପସ୍ ଦାଖଲ ହେବାପରେ ୨୦୧୮ ମସିହାର ଏକ କେଶରେ ତାଙ୍କୁ ଗିରଫ କରାଯାଇଥିବା ଦର୍ଶାଯାଇଛି।

ଏହାର ପ୍ରତିବାଦରେ ଅଗଷ୍ଟ ୬ ତାରିଖରେ କଲ୍ୟାଣସିଂହପୁର ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ନିୟମଗିରି ସୁରକ୍ଷା ସମିତିର ସଦସ୍ୟମାନଙ୍କ ବିରୋଧରେ ୟୁଏପିଏ ସହିତ ଅନ୍ୟାନ୍ୟ ସଙ୍ଗୀନ ଦଫାରେ ମକଦ୍ଦମା ରୁଜୁ କରାଯାଇଛି। ସେହିପରି ଗତ ୧୧ ଅଗଷ୍ଟରୁ ନିୟମଗିରି ସୁରକ୍ଷା ସମିତିର ସମର୍ଥକ ଉପେନ୍ଦ୍ର ବାଗଙ୍କୁ ପୋଲିସ୍ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଅଗଷ୍ଟ ୧୪ ତାରିଖରେ କୋର୍ଟ ଚାଲାଣ କରାଯାଇଛି। ସେହିପରି ଗତ ଏକ ସପ୍ତାହ ଧରି ରାୟଗଡ଼ା ଜିଲ୍ଲାର କାଶିପୁର ଓ ସିଜିମାଳି ଅଞ୍ଚଳରେ ପୋଲିସର ବର୍ବରତା ସମସ୍ତ ସୀମା ଅତିକ୍ରମ କରିଛି। ସମୁଦାୟ ଅଞ୍ଚଳକୁ ପୋଲିସ୍ ଛାଉଣୀ କରି ଘର ଭାଙ୍ଗି ମହିଳାମାନଙ୍କୁ ବେଇଜ୍ଜତ କରାଯାଉଛି। ପୁରୁଷମାନଙ୍କୁ ଗିରଫ କରି ପ୍ରବଳ ଶାରୀରିକ ନିର୍ଯାତନା ଦିଆଯାଇ କୋର୍ଟ ଚାଲାଣ କରାଯାଉଛି। ଡି.କେ ବସୁ ରାୟର ସମସ୍ତ ନୀତି ଓ ନିୟମାବଳୀକୁ ଉଲଂଘନ ଏଭଳି ଗିରଫଦାରୀ ହେଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *

Back to top button