Tue. Oct 15th, 2019

ବିଜେପି ନେତା ଏବଂ ତାଙ୍କ ପରିବାର ଲୋକଙ୍କୁ ହତ୍ୟା

ନିଉ ଦିଲ୍ଲୀ : ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମହରାଷ୍ଟ୍ରର ଜଳଗାଁର ବିଜେପି ନେତା ତଥା କର୍ପୋରେଟର ରବୀନ୍ଦ୍ର ଖରାତ ଏବଂ ତାଙ୍କ ପରିବାରର ୪ ଜଣ ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି। ଗତକାଲି ରାତି ୯ ଟା ୩୦ ସମୟରେ ଦୁର୍ବୃତ୍ତମାନେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ରବୀନ୍ଦ୍ର ତାଙ୍କ ଘର ସାମ୍ନାରେ ବସିଥିଲେ। ଏହି ସମୟରେ ହଠାତ୍ କିଛି ଅଜଣା ଲୋକ ଆସିଥିଲେ। ଏହାପରେ ରବୀନ୍ଦ୍ର କିଛି କହିବା ଆଗରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ରବୀନ୍ଦ୍ରଙ୍କ ବଡ଼ ଭାଇ ସୁନୀଲ ଖରତା ବାହାରକୁ ଆସିଥିଲେ। ସେ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଅନ୍ୟ ସଦସ୍ୟଙ୍କ ଉପରକୁ ଗୁଳି ଚଳାଇବା ସହିତ ଛୁରୀରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ରବୀନ୍ଦ୍ର ଓ ସୁନୀଲଙ୍କର ମୃତ୍ୟୁ ଘଟିଥିଲା।

ଗୁରୁତର ଆହତ ହୋଇଥିବା ରବୀନ୍ଦ୍ରଙ୍କ ଦୁଇ ପୁଅ ରୋହିତ ଏବଂ ପ୍ରେମ ସାଗର ଓ ଘରେ ଉପସ୍ଥିତ ଥିବା ତାଙ୍କର ବନ୍ଧୁଙ୍କୁ ହସ୍ପିଟାଲକୁ ନିଆଯାଉଥିବା ବେଳେ ବାଟରେ ସେମାନେ ଆଖି ବୁଜି ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାର କାରଣ ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକମାନେ କେହି କେହି ଏହାକୁ ନିର୍ବାଚନୀ ହିଂସା କହୁଥିବା ବେଳେ ଆଉ କେହି କେହି ରବୀନ୍ଦ୍ରଙ୍କ ବିରୋଧୀ ଲୋକ ଏଭଳି ହତ୍ୟା କାଣ୍ଡ ଘଟାଇ ଥାଇ ପାରନ୍ତି ବୋଲି କହୁଛନ୍ତି।


Leave a Reply

Your email address will not be published. Required fields are marked *