ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା : ଜାତୀୟ ମାନବାଧିକାର କମିଶନରେ ଏତଲା

ଭୁବନେଶ୍ୱର : ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଜାତୀୟ ମାନବାଧିକାର କମିଶନରେ ମାନବାଧିକାର କର୍ମୀ ଜୟନ୍ତ ଦାସ ଏତଲା ଦେଇଛନ୍ତି। ଏପରି ଅମାନୁଷିକ କାଣ୍ଡ ପାଇଁ ଡିଆଇଜି ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପୀଡ଼ିତା ହୋମଗାର୍ଡଙ୍କୁ ୩୦ ଲକ୍ଷ କ୍ଷତିପୂରଣ ଏବଂ ଏହି ଅର୍ଥ ଡିଆଇଜିଙ୍କ ଦରମାରୁ କାଟିବାକୁ ସେ ଆବେଦନ କରିଛନ୍ତି।

ଖବର ଅନୁଯାୟୀ ରାଜ୍ୟ ପୋଲିସର ଡିଆଇଜି ପାହ୍ୟାର ଅଧିକାରୀ ବ୍ରିଜେଶ କୁମାର ରାଏଙ୍କ ଘରେ ନିୟୋଜିତ ହୋଇଥିଲେ ହୋମଗାର୍ଡ ସୈରିଦ୍ରୀ ସାହୁ। ବ୍ରିଜେଶଙ୍କ ତାଙ୍କୁ ସବୁବେଳେ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ଚାକିରି ନେଇ ଯିବାର ଧମକ ଦେଇ ଗତ ୪ ତାରିଖରେ ଗଳା ଧକ୍କା ଦେଇ ବାହାର କରି ଦେଇଥିଲେ। ଏହାପରେ ସୈରିଦ୍ରୀ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରି ଦୁଇଟି ଗୋଡ ହରାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକର ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଛି।

ମହିଳା ହୋମଗାର୍ଡ ଜଣଙ୍କ ନିର୍ଯାତନା ସମ୍ପର୍କରେ ଗତ ୧୩ ତାରିଖରେ ହୋମଗାର୍ଡ ଡିଜିଙ୍କୁ ଲିଖିତ ଭାବେ ଜଣାଇ ସାରିଛନ୍ତି। କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ହୋମଗାର୍ଡ ସୈରିଦ୍ରୀ ସାହୁ ଅଭିଯୋଗ କରିଛନ୍ତି। ହେଲେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାଏ କହିଛନ୍ତି ତାଙ୍କର ପାରିବାରିକ ସମସ୍ୟା ଥିବାରୁ ଅନ୍ୟମନସ୍କ ରହୁଥିଲେ। ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନାହିଁ। ଏନେଇ ତାଙ୍କୁ କେହି ପ୍ରବର୍ତ୍ତାଇ ଥିବା ସେ କହିଛନ୍ତି।

ସୈରିଦ୍ରୀଙ୍କ ସ୍ୱାମୀଙ୍କର ବହୁ ପୂର୍ବରୁ ମୃତ୍ୟୁ ହୋଇ ସାରିଥିବାରୁ ସେ ୨ ଝିଅଙ୍କୁ ଧରି ରୁହନ୍ତି। ତାଙ୍କ ରୋଜଗାରରେ ପରିବାର ଚଳୁଥିବା ବେଳେ ଏବେ ସେ ଗୋଡ଼ ହରାଇ ପଙ୍ଗୁ। ଭବିଷ୍ୟତ ଅନ୍ଧକାର ହୋଇ ଯାଇଛି। ଝିଅଙ୍କ ଚିନ୍ତା ତାଙ୍କୁ ଘାରିଥିବାରୁ ଆର୍ଥିକ ସହାୟତା ଦେବାକୁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *

Back to top button