୫.୪୫ ସୁଦ୍ଧା ଲ୍ୟାଣ୍ଡର୍‌ ମଡ୍ୟୁଲ୍ ନିର୍ଦ୍ଧାରିତ ସ୍ଥାନ‌ରେ ପହଞ୍ଚିଯିବ

ନୂଆଦିଲ୍ଳୀ : ଆଉ ମାତ୍ର କିଛି ସମୟ ପରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୩। ଆଉ ଭାରତ ରଚିବ ଇତିହାସ। ଏହି ସମୟକୁ ଦେଶବାସୀ ଅପେକ୍ଷା କରିଥିବା ବେଳେ ସମସ୍ତଙ୍କ ମନରେ ଉତ୍ସାହ ବଢି ଚାଲିଛି।

ଇସ୍ରୋର ଘୋଷଣା ଅନୁଯାୟୀ ବୁଧବାର ସଂଧ୍ୟା ୬ଟା ୪ରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡ୍‌ର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବା ପରେ କାମ ଆରମ୍ଭ କରିବ। ଯଦି ବିକ୍ରମ ଲ୍ୟାଣ୍ଡ୍‌ର ମୃଦୁ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) ସଫଳ ହୁଏ ତେବେ ବିକ୍ରମ ଲ୍ୟାଣ୍ଡରରୁ ଅଲଗା ହୋଇ ୬ ଚକା ବିଶିଷ୍ଟ ପ୍ରଜ୍ଞାନ ରୋଭର୍‌ ବାହାରକୁ ଆସି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ରୁ ନିର୍ଦ୍ଦେଶ ପାଇ ଚନ୍ଦ୍ରପୃଷ୍ଠରେ ପରିଭ୍ରମଣ କରିବ। ଏହା ୫୦୦ ମିଟର ପର୍ଯ୍ୟନ୍ତ ଗତି କରିବା ପରେ ସେଠାରେ ଜଳର ଉପସ୍ଥିତି ଓ ବାତାବରଣ ସଂପର୍କରେ ସୂଚନା ପ୍ରଦାନ କରିବ।

ଇସ୍ରୋର ବୈଜ୍ଞାନିକମାନେ ଏହାକୁ ଅବତରଣ କରାଇବାର କାର୍ଯ୍ୟ ଆରମ୍ଭ କରିଦେଇଛି। ସର୍ବପ୍ରଥ‌ମେ ସ୍ଵୟଂଚାଳିତ ଅବତରଣ ସେବା ବା ଅଟୋମେଟିକ୍‌ ଲ୍ୟାଣ୍ଡିଂ ସ‌ର୍ଭିସେସ୍‌ ଆରମ୍ଭ କରାଯିବ। ଯଦିଓ ଏବେ ଲ୍ୟାଣ୍ଡ୍‌ର ମଡ୍ୟୁଲ୍‌ ନିର୍ଦ୍ଧାରିତ ସ୍ଥାନ‌ରେ ଅବତରଣ କରିବାର ଯୋଜନାରେ ଅଛି। ଏହା ୫.୪୫ ସୁଦ୍ଧା ନିର୍ଦ୍ଧାରିତ ଅବତରଣ ସ୍ଥଳରେ ପହଞ୍ଚିଯିବ ବୋଲି ଆଶା କରାଯାଉଛି। ଯଦି ଲ୍ୟାଣ୍ଡ୍‌ର ଅବତରଣ କରିବାରେ ସଫଳ ହୁଏ ତେବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ପ୍ରଥମ ଓ ମୃଦୁ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରିବାରେ ୪ର୍ଥ ଦେଶ ହେବ। ଭାରତ ପୂର୍ବରୁ ଆମେରିକା, ରୁଷ୍‌ ଓ ଚୀନ ଚନ୍ଦ୍ରରେ ମୃଦୁ ଅବତରଣ କରି ସାରିଛନ୍ତି।

ସୂଚନାଯୋଗ୍ୟ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଓ ରୋଭରକୁ ମିଶାଇ ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ। ଉଭୟଙ୍କ କାର୍ଯ୍ୟକାଳ ୧୪ ଦିନ। ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ଓ ଓସାର ୨ ମିଟର। ଉଚ୍ଚତା ୧.୧୬୬ ମିଟର। ଏଥିରେ ଏକାଧିକ କ୍ୟାମେରା ଓ ଉନ୍ନତ ସେନ୍ସର ଲାଗିଛି। ସୁରକ୍ଷିତ ଅବତରଣ ପାଇଁ ତଳେ ୪ଟି ଥ୍ରଷ୍ଟର୍ ଓ ୪ଟି ମଜବୁତ ଗୋଡ଼ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button