ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ : ଅପରାଜିତା

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ଏହି ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ଖବର ଅନୁଯାୟୀ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି ରାଜ୍ୟରେ ପାଣ୍ଡିଆନ ପ୍ରୋଜେକ୍ଟ ନାଁରେ ଜମି ହଡ଼ପ ଚାଲିଛି। ଭୁବନେଶ୍ୱରରୁ ୧୫ କିମି ଦୂର ଭଗବତୀପୁର ଓ ଗିରିଙ୍ଗାଘାଟ ମୌଜାରେ ୧୫୦ ଏକର ଜମି ଜବରଦଖଲ ହୋଇଛି। ଏହାକୁ ତାର ବାଡ଼ ଦେଇ ଘେରାବନ୍ଦୀ କରାଯାଇଛି। ଏହି ଜମିରେ ହୋଇଛି ବିଳାସପୂର୍ଣ୍ଣ ଫାର୍ମ ହାଉସ୍। ସେସବୁ ଅନାବାଦୀ, ଜଙ୍ଗଲ ଓ ଦେବ ଜମି। କିଛି ବ୍ୟକ୍ତିଗତ ଜମି ଥିବାବେଳେ ହାଲ କର୍ମଚାରୀ ସଂଘର ୨୫ ଏକର ଜମି ସେହି ଜବରଦଖଲ ଭିତରେ ରହିଛି। ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ମହିଳା ଶ୍ରୀମତୀ କିରୁଥିକା ପ୍ରଭାକରନ ତାଙ୍କ କଂପାନୀ ତ୍ରିବେଣୀ ଆର୍ଥମୁଭରସ୍ ଏହି ଜମି ଜବରଦଖଲ କରିଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି କିରୁଥିକା ପ୍ରଭାକରନ କେନାଲକୁ ପୋତି ଦେଇଥିବା ବେଳେ ୩୦୦ ଚାଷୀ ପରିବାରଙ୍କ ଜମି ହଡ଼ପ କରିଛନ୍ତି। ସେମାନେ ଏହି ଜମିରେ ଚାଷ କରି ପରିବାର ପୋଷଣ କରୁଥିଲେ। ଏବେ ଖାଇବାକୁ ପାଉନାହାନ୍ତି। ଲୋକେ ବାରମ୍ବାର ଅଭିଯୋଗ କଲେଣି। ଅଭିଯୋଗ କଲେ ଅଧିକାରୀ କହୁଛନ୍ତି ଏଇଟା ପାଣ୍ଡିଆନ ପ୍ରୋଜେକ୍ଟ ଚାଲିଛି। କୌଣସି ସରକାରୀ କର୍ମଚାରୀ କିଛି କହିପାରିବେନି।
ଏହାଛଡା ଶ୍ରୀମତୀ କିରୁଥିକା ପ୍ରଭାକରନ ବାପୁଜୀ ନଗର, ଚନ୍ଦ୍ରଶେଖରପୁର ଓ ନିଆଳି ଓଲଟପୁରରେ ଜାଗା ନେଇଛନ୍ତି। ତୃତୀୟ ମହଲାର ନାଁ ନେଇ ଅଧିକାରୀଙ୍କୁ ଡରେଇ ଜମି ହଡପ କରୁଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ଚିଠି ଲେଖିଛି ବୋଲି ଅପରାଜିତା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button