Tue. Oct 15th, 2019

ମୋଦି-ଜିନପିଙ୍ଗଙ୍କ ମଧ୍ୟରେ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଆଜି ଶେଷ ହୋଇଛି। ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚୀନ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ମୋଦି ଦିଲ୍ଲୀ ଫେରିଛନ୍ତି। ଦୁଇଦେଶ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ହୋଇଛି ଆଲୋଚନା।

ସୂଚନା ଅନୁଯାୟୀ ଦୁଇଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ ଓ ସେବା କ୍ଷେତ୍ରର ବିକାଶ ପାଇଁ ନୂଆ କମିଟି ପ୍ରତିଷ୍ଠା ହେବ। ଏହି କମିଟିରେ ଚୀନ ଉପ ରାଷ୍ଟ୍ରପତି ହୁ ଚୁନହୁହା ଓ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଦସ୍ୟ ରହିବେ। ସେହିପରି ବିଶ୍ୱରେ ବୃଦ୍ଧି ପାଉଥିବା ଆତଙ୍କବାଦ ଓ ମୌଳବାଦ ଚିନ୍ତାଧାରକୁ ମୁକାବିଲା କରିବା ପାଇଁ ଉଭୟ ନେତା ରାଜି ହୋଇଛନ୍ତି। ଉଭୟ ଦେଶ ପରସ୍ପର ବିଶ୍ୱାସ ଓ ଆସ୍ଥା ଭାଜନ କରି କାର୍ଯ୍ୟ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଜିପିଙ୍ଗ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚୀନ ଆସିବାକୁ ନିମନ୍ତ୍ରଣ କରିଛନ୍ତି।

ଆଜି କଶ୍ମୀରକୁ ନେଇ ଭାରତ ଓ ଚୀନ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହୋଇନି। କଶ୍ମୀର ଭାରତର ଆଭ୍ୟନ୍ତରୀଣ ବ୍ୟାପାର ହୋଇଥିବାରୁ ବୈଠକ ସମୟରେ ଜିନପିଙ୍ଗଙ୍କୁ ଏ ସମ୍ପର୍କରେ ମୋଦି କୌଣସି କଥା କହିନାହାନ୍ତି। କିନ୍ତୁ ଜିନପିଙ୍ଗ ଭାରତର ପ୍ରଧାନମନ୍ତ୍ରୀ ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଚୀନ ଗସ୍ତକୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଜିନପିଙ୍ଗ ମାନସୋରବୋର ଯାଉଥିବା ଯାତ୍ରୀଙ୍କୁ ଉତ୍ତର ସେବା ଯୋଗାଇ ଦେବା ସମ୍ପର୍କରେ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ମୋଦି ତାମିଲନାଡୁ ଓ ଚାଇନାର ଫୁଜିଆନ୍‌ ପ୍ରଦେଶ ମଧ୍ୟରେ ଥିବା ସମାନତା ବିଷୟରେ କହିଥିଲେ।

ସେହିପରି ଚୀନ ଓ ଭାରତୀୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଉଭୟ ଦେଶ କାର୍ଯ୍ୟ କରିବେ। ଏଥିପାଇଁ ଦୁଇ ଦେଶ ମିଳିତ ଭାବେ ୭୦ଟି କାର୍ଯ୍ୟକ୍ରମ ହାତକୁ ନେବେ। ୩୫ଟି ଭାରତରେ ଓ ଅନ୍ୟ ୩୫ଟି ଚୀନରେ ଆୟୋଜିତ ହେବ। ପର୍ଯ୍ୟଟନର ବିକାଶ ଉପରେ ଦୁଇ ରାଷ୍ଟ୍ର ନେତା ଗୁରୁତ୍ୱ ଦେଇଛନ୍ତି। ଚୀନ ଓ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ଅଧିକ ଦୃଢ଼ତାର ସହ ସ୍ଥାପନ କରିବାକୁ ମୋଦି ଗବେଷଣାକୁ ଅଧିକ ଗୁରୁତ୍ୱ ଦେଇଥିଲେ। ତୃତୀୟ ଅନୌପଚାରିକ ବୈଠକ ପାଇଁ ଜିନପିଙ୍ଗ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚୀନ ନିମନ୍ତ୍ରଣ କରିଛନ୍ତି। ମୋଦି ଏହାକୁ ଗ୍ରହଣ କରିଛନ୍ତି।

Leave a Reply

Your email address will not be published. Required fields are marked *