ଜେଏମ୍‌ଏମ୍‌ରୁ ଇସ୍ତଫା ଦେଲେ ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି

ବାରିପଦା : ଜେଏମ୍‌ଏମ୍‌ର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଉପସଭାପତି ପ୍ରହ୍ଲାଦ ପୂର୍ତ୍ତି ଦଳ ଓ ନିଜ ପଦବିରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା ପତ୍ର ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି।

ଖବର ଅନୁଯାୟୀ ଜେଏମଏମ୍‌ ରାଜ୍ୟ ସଭାପତି ଅଞ୍ଜନୀ ସୋରେନ ଗତକାଲି ଶ୍ରୀ ପୂର୍ତ୍ତିଙ୍କ ନିକଟକୁ କାରଣ ଦର୍ଶାଅ ପତ୍ର ଳେଖିଥିଲେ। ୮ ମାସ ହେଲା ସେ କାହିଁକି ଦଳର କୌଣସି କାର୍ଯ୍ୟକ୍ରମ କିମ୍ବା ବୈଠକରେ ସାମିଲ ହୋଇନାହାନ୍ତି ତାହାର କାରଣ ଦର୍ଶାଇବା ପାଇଁ କହିଥିଲେ। ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଦଳ ଓ ପଦବିରୁ ବହିଷ୍କୃତ କରାଯିବ ବୋଲି ଉଲ୍ଲେଖ କରିଥିଲେ।

ଏହାର ଜବାବରେ ଶ୍ରୀ ପୂର୍ତ୍ତି ଦଳର ସୁପ୍ରିମୋ ଶିବୁ ସୋରେନ୍ ଓ ରାଜ୍ୟ ସଭାପତି ଅଞନୀ ସୋରେନଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଓଡ଼ିଶା ପ୍ରଦେଶର ଦଳର ନେତାମାନଙ୍କୁ ସମ୍ମାନ ନଦେଇ ଅନ୍ୟ ରାଜ୍ୟର ଦଳୀୟ ନେତାମାନେ ଆସି ସମସ୍ତ କାର୍ଯ୍ୟ କରୁଛନ୍ତି। ଫଳରେ ଓଡିଶାର ନେତା ଓ କର୍ମୀମାନଙ୍କୁ ଅସମ୍ମାନ କରାଯାଉଥିଲା। ଏ ସମ୍ପର୍କରେ ଜେଏମଏମର ରାଜ୍ୟ ସଭାପତିଙ୍କୁ ମୌଖିକ ଭାବେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହୋଇନଥିଲା। ସେଥିପାଇଁ ୮ ମାସ ହେଲା ସେ ଦଳର କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ ବୋଲି କହିଛନ୍ତି। ଆଉ ତାଙ୍କ ଇସ୍ତଫା ପତ୍ରକୁ ସ୍ୱୀକାର କରିବା ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button