କଏଦୀଙ୍କ ଗୋଡରେ ଲାଗିବ ଜିପିଏସ୍ : ଜାମିନରେ ଯାଇ ଅପରାଧ କଲେ ଧରାପଡିବେ

ଭୁବନେଶ୍ଵର : ଏଣିକି ଜାମିନରେ ବାହାରୁଥିବା ଅପରାଧୀଙ୍କ ଗୋଡରେ ଲାଗିବ ଜିପିଏସ୍। ସଂସଦୀୟ ବ୍ୟାପାର କମିଟିକୁ ଏହି ପ୍ରସ୍ତାବ ଦେଇଛନ୍ତି ଜେଲ୍ ଡିଜି ମନୋଜ ଛାବ୍ରା।

ଖବର ଅନୁଯାୟୀ ଅନେକ ସମୟରେ ଦେଖାଯାଉଛି ଅପରାଧୀମାନେ ଜାମିନରେ ଆସିବା ପରେ ପୁଣି ଅପରାଧ ଘଟାଉଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ କରୁଛନ୍ତି ଉଦ୍ୟମ। ସେମାନଙ୍କୁ ଧରିବା ପାଇଁ ରାଜକୋଷରୁ ଅଯଥା ଅର୍ଥ ବ୍ୟୟ ହେଉଛି। ଏହାକୁ ରୋକିବା ପାଇଁ ଜେଲ୍ ଡିଜି ମନୋଜ ଛାବ୍ରା କଏଦୀଙ୍କ ଗୋଡରେ ଜିପିଏସ ଲଗାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏପରି ପ୍ରସ୍ତାବକୁ ସଂସଦୀୟ କମିଟିର ସଦସ୍ୟ ପ୍ରଶଂସା କରିଛନ୍ତି। ଓଡ଼ିଶାରୁ ଏହି ପ୍ରୋଜେକ୍ଟ ଆରମ୍ଭ କରିବାକୁ ଦେଇଛନ୍ତି ପରାମର୍ଶ।

କଏଦୀଙ୍କ ଗୋଡରେ ଜିପିଏସ ଲଗାଇଲେ ଅପରାଧୀ କେଉଁ ଅଂଚଳରେ ଅପରାଧ ଘଟାଉଛି ଜଣାପଡିବ। ଜିପିଏସ୍ର ପରିଧି କିଛି ବର୍ଗ କିଲୋମିଟର ରହିବ। ଅପରାଧୀ ଜିପିଏସ୍କୁ ନଷ୍ଟ କିମ୍ବା ଟାମ୍ପରିଂ କଲେ ଏକ ଆଲାର୍ମ ପୋଲିସ ପାଖକୁ ଯିବ। ସାକ୍ଷୀକୁ ଧମକାଇବା ବା ପ୍ରଭାବିତ କଲେ ମଧ୍ୟ ଜଣାପଡ଼ିଯିବ। ଏହାକୁ ବ୍ୟବହାର କରି ବିଚାରାଧୀନ କଏଦୀ ଉପରେ ନଜର ରଖିହେବ। ଏବେ ଜିପିଏସ୍ ଭୟରେ ଅପରାଧ କରିବାକୁ ଭୟ କରିବେ ଅପରାଧୀ। ଏହି ମେସିନ୍ ବାବଦକୁ ଖର୍ଚ୍ଚ ୧୦ରୁ ୧୫ ହଜାର କଏଦୀ ନିଜେ ବହନ କରିବେ।

Leave a Reply

Your email address will not be published. Required fields are marked *

Back to top button