ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ଭୁବନେଶ୍ୱର : ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କର ଆଜି ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବାରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ରାଜଶ୍ରୀ ପାତ୍ର, ଦୁଇ ପୁଅ ଓ ଝିଅ ଉପସ୍ଥିତ ଥିଲେ।

ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ବାର୍ତ୍ତରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ପାତ୍ରଙ୍କୁ ଜଣେ ଦକ୍ଷ ପ୍ରଶାସକ ଓ ସଂଗଠକ ଭାବରେ ବର୍ଣ୍ଣନା କରିଛନ୍ତି। ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ସେ ରାଜ୍ୟର ଉନ୍ନୟନ ପ୍ରକ୍ରିୟାକୁ କ୍ରିୟାଶୀଳ କରିଥିଲେ। ବାଚସ୍ପତି ଭାବରେ ସେ ଓଡିଶାରେ ସଂସଦୀୟ ପରମ୍ପରାର ମର୍ଯ୍ୟଦାକୁ ଅକ୍ଷୁର୍ଣ୍ଣ ରଖି ବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟ ପାତ୍ର ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବେ ସେ ଦଳକୁ ନୂଆ ଦିଗ ଦେଇଥିଲେ। ବିଶେଷକରି ଗଞ୍ଜାମ ଜିଲ୍ଲାରେ ଦଳକୁ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା ବୋଲି ମୁଖ୍ୟମନ୍ତ୍ରୀ କହଛନ୍ତି। ତାଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟତା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ସମ ବେଦନା ଜଣାଇ ଛନ୍ତି।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ଭୂମିନ୍ଦର ସିଂହ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଫୁଲ୍ଲ ମଲ୍ଲିକ୍‌, ବଦ୍ରି ପାତ୍ର, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ସମୀର ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରଘୁନାଥ ମହାନ୍ତି, ମହମ୍ମଦ ମୋକିମ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button