ମିଥ୍ୟା ଯୌତୁକ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ଘୋର ନିଷ୍ଠୁରତା : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପରିବାର ଉପରେ ମିଥ୍ୟା ଯୌତୁକ ନିର୍ଯାତନା ଓ ଦୁଷ୍କର୍ମ ଅଭିଯୋଗ ଆଣିବା ଅତ୍ୟନ୍ତ ନିଷ୍ଠୁରତା। ଏହାକୁ କ୍ଷମା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ।

ଖବର ଅନୁଯାୟୀ ଏକ ମାମଲାର ଶୁଣାଣି କରି ଉଚ୍ଚ ନ୍ୟାୟାଳୟ କହିଛନ୍ତି ଯେ କୌଣସି ବିବାହର ଆଧାର ହେଉଛି ସହବାସ। ବୈବାହିକ ସମ୍ପର୍କ ଓ ଦମ୍ପତ୍ତି ପରସ୍ପର ସହିତ ରହିବାରୁ ବଞ୍ଚିତ ହେବା ପ୍ରମାଣ କରେ ବିବାହ ଚାଲିପାରିବ ନାହିଁ। ବୈବାହିକ ସମ୍ପର୍କକୁ ଏପରି ବଞ୍ଚିତ କରିବା ଏକ ଚରମ ନିଷ୍ଠୁର କାର୍ଯ୍ୟ। ସ୍ୱାମୀଙ୍କଠାରୁ ଅଲଗା ହେବାକୁ ତାଙ୍କ ପ୍ରତି ନିଷ୍ଠୁରତା ବୋଲି ବିଚାର କରି ତାଙ୍କୁ ଛାଡ଼ପତ୍ର ଦେବା ପାଇଁ ପରିବାର ଅଦାଲତ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜଣେ ମହିଳାଙ୍କ ଆବେଦନକୁ ଖାରଜ କରି କୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି।

ଜଷ୍ଟିସ ସୁରେଶ କୁମାର କୈତ ଓ ଜଷ୍ଟିସ ନୀଳା ବଂଶଲ କ୍ରିଷ୍ଣାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ବର୍ତ୍ତମାନର ମାମଲାରେ ନିଶ୍ଚିତ ଭାବେ ଉଭୟ ପକ୍ଷ ୨୦୧୪ ମସିହାରୁ ଅଲଗା ରହୁଛନ୍ତି। ଯାହା ପ୍ରମାଣ କରୁଛି ସେମାନେ ବୈବାହିକ ସମ୍ପର୍କ ବଜାୟ ରଖିବାରେ ଅସମର୍ଥ। ଯାହାଦ୍ୱାରା ପରସ୍ପରକୁ ପାରସ୍ପରିକ ସହଯୋଗ ଓ ବୈବାହିକ ସମ୍ପର୍କରୁ ବଞ୍ଚିତ କରାଯାଉଛି। ପାଖାପାଖି ୯ ବର୍ଷ ଧରି ଏଭଳି ବିଚ୍ଛେଦ ଅତ୍ୟନ୍ତ ମାନସିକ ନିଷ୍ଠୁରତାର ଏକ ଉଦାହରଣ। ଯେଉଁଥିରେ ହିନ୍ଦୁ ବିବାହ ଆଇନ ଅନୁଯାୟୀ ନିଷ୍ଠୁରତା ଆଧାରରେ ବୈବାହିକ ସମ୍ପର୍କକୁ ତୁରନ୍ତ ଭାଙ୍ଗିବାର ଆବଶ୍ୟକତା ରହିଛି। ସ୍ୱାମୀଙ୍କ ବିରୋଧରେ ପତ୍ନୀ ଯେଉଁ ମିଥ୍ୟା ଅଭିଯୋଗ ଦାଖଲ କରିଛନ୍ତି ତାହା ପୁରୁଷଙ୍କ ପ୍ରତି ମାନସିକ ନିର୍ଯାତନା ସଦୃଶ ବୋଲି ଖଣ୍ଡପୀଠ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button