ମହିଳା ନେତ୍ରୀଙ୍କୁ ଅସମ୍ମାନ : ପାରାଦୀପ ବିଧାୟକଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ଵର : ପୂର୍ବତନ ବିଜେଡ଼ି ମହିଳା ନେତ୍ରୀ କାଞ୍ଚନ ସ୍ଵାଇଁଙ୍କୁ ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ଅସମ୍ମାନ। ଏନେଇ ବିଧାୟକଙ୍କ ନାଁରେ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗତ ଶୁକ୍ରବାର ପୂର୍ବତନ ବିଜେଡ଼ି ମହିଳା ସଭାନେତ୍ରୀଙ୍କୁ ପାରାଦୀପ ବିଧାୟକ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏତଲାରେ ମହିଳା ନେତ୍ରୀ ଉଲ୍ଲେଖ କରିଛନ୍ତି ପାରାଦୀପ ବିଧାୟକ ତାଙ୍କ ସମର୍ଥକମାନଙ୍କ ସହିତ ଆମ ବାଗେଇ ଗ୍ରାମର ବନ ବିହାରୀ ମଠକୁ ଆସି ମଠ ବିଷୟରେ ଆଲୋଚନା କରୁଥିଲେ। ଖବର ପାଇ ମୁଁ ସେହି ଗ୍ରାମର ବାସିନ୍ଦା ଓ ମଠର ସେବିକା ହିସାବରେ ସେଠାରେ ପହଞ୍ଚି ବିଧାୟଙ୍କୁ କେତେକ ପ୍ରଶ୍ନ କରିଥିଲି। ଆମ ମଠରେ ବର୍ଷକୁ ଅନେକ ଗୁଡ଼ିଏ ପର୍ବପର୍ବାଣି ପାଳିତ ହୁଏ। ଠାକୁରଙ୍କର ଦୈନିକ ନୀତିକାନ୍ତି ଅତି ନିଷ୍ଠା ଓ ନିୟମର ସହିତ ନିର୍ବାହ କରାଯାଏ। ବିଧାୟକଙ୍କ କେବେ କୌଣସି ସମୟରେ ଦେଖା ମିଳେ ନାହିଁ। କିନ୍ତୁ ଅଚାନକ ଆସି ମଠ ବିଷୟରେ କାହିଁକି ହସ୍ତକ୍ଷେପ କରୁଛନ୍ତି ବୋଲି ପଚାରିଥିଲି। ମୋ କଥା ଶୁଣି ବିଧାୟକ ଉତ୍‌କ୍ଷିପ୍ତ ହୋଇ ମୋ ପ୍ରତି ଖରାପ ବ୍ୟବହାର କରିଥିଲେ। ଆଉ କହିଥିଲେ ଏ ମଠ କ’ଣ ତୋ ବାପା ସମ୍ପତ୍ତି। ହେଇବେ ତୁ କେତେ ଟଙ୍କା ମଠକୁ ଦେଇଛୁ। ଏହିପରି ଭାବେ ମୋତେ ସର୍ବସାଧାରଣରେ ବିଧାୟକ ଅପମାନିତ କରିଥିଲେ। ତେଣୁ ବିଧାୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୋ ପରି ଜଣେ ମହିଳାଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେ ଦର୍ଶାଇଛନ୍ତି।

ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୁଜଙ୍ଗ ଥାନାରେ ଏତଲା ଦିଆଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। କାର୍ଯ୍ୟାନୁଷ୍ଠାନ ନହେଲେ ବିଜେପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି। ଏହାଛଡା ଜଣେ ବ୍ୟକ୍ତି ଜାତୀୟ ମାନବାଧିକାର ଆୟୋଗରେ ବିଧାୟୟଙ୍କ ନାଁରେ ମଧ୍ୟ ଏତଲା ଦେଇଛନ୍ତି। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।

ଅନ୍ୟପକ୍ଷରେ ବିଧାୟକ ସମ୍ବିତ ରାଉତରାୟ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ସମ୍ପୃକ୍ତ ମହିଳା ମୋତେ ଖରାପ ବ୍ୟବହାର କରିନାହାନ୍ତି କିମ୍ବା ସେ ମଧ୍ୟ ତାଙ୍କୁ ଖରାପ ବ୍ୟବହାର କରିନାହାନ୍ତି। କିଛି ନିର୍ଦ୍ଦିଷ୍ଟ ଦଳ କାଞ୍ଚନଙ୍କୁ ଶିଖେଇ ଥାନାରେ ଏତଲା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button