ଏସ୍‌ସିବି ଓପିଡି ଟିକେଟ୍‌ କାଉଣ୍ଟର୍‌ରେ ମଧ୍ୟାହ୍ନ ବିରତି ରହିବନି

କଟକ : କଟକ ବଡ଼ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ଟିକେଟ୍‌ କାଉଣ୍ଟର ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଏସ୍‌ସିବି ଅଧୀକ୍ଷକ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଅପରାହ୍ଣ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଓପିଡିରେ ରୋଗୀସେବା ମଧ୍ୟାହ୍ନଭୋଜନ ବିରତି ପାଇଁ ବନ୍ଦ ରହିବ।

ଖବର ଅନୁଯାୟୀ ଟିକେଟ୍‌ କାଉଣ୍ଟର୍‌ ପାଇଁ ମଧ୍ୟାହ୍ନଭୋଜନ ବିରତି ବାତିଲ୍‌ କରାଯିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସଂପୃକ୍ତ ଆଉଟ୍‌ସୋର୍ସିଂ ସଂସ୍ଥା ‘ଷ୍ଟକ୍‌ହୋଲ୍‌ଡିଂ ଡକୁମେଣ୍ଟ ମ୍ୟାନେଜମେଣ୍ଟ୍‌ ସର୍ଭିସ୍‌ ଲିମିଟେଡ୍‌’କୁ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ସିବିକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସଂପର୍କୀୟଙ୍କ ସୁବିଧା ଓ ବ୍ୟବସ୍ଥାରେ ପରିବର୍ତ୍ତନ ଅଣାଯିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଏହାକୁ ନେଇ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନଙ୍କ କହିବା କଥା ହେଲା ଯଦି ଓପିଡି ‌ଟିକେଟ୍‌ କାଉଣ୍ଟର ଖୋଲା ରହିବ ତାହେଲେ ଓପିଡି ଖୋଲା ରଖିବା ପାଇଁ କର୍ତ୍ତୃପକ୍ଷ କାହିଁକି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ ନାହାନ୍ତି। ହେଲେ ରୋଗୀମାନଙ୍କ ଅଭିଯୋଗ କେତେକ ବିଭାଗରେ ଓପିଡି ବିଳମ୍ବରେ ଆରମ୍ଭ ହେଉଥିବା ବେଳେ କେତେକ ବିଭାଗରେ ନିର୍ଦ୍ଧାରିତ ସମୟ ପୂର୍ବରୁ ବନ୍ଦ କରିଦିଆଯାଉଛି। ଡାକ୍ତର ଠିକ୍‌ ସମୟରେ ଆସୁ ନାହାନ୍ତି। ଯେଉଁ ରୋଗୀଙ୍କର ଅପରାହ୍ନ ୩/୪ଟାରେ ପାଳି ପଡୁଛି ସେମାନେ ଡାକ୍ତରଙ୍କୁ ଦେଖାଇ ଚିଠା ଅନୁସାରେ ସେହିଦିନ ପରୀକ୍ଷା କରାଇ ପାରୁ ନାହାନ୍ତି। ପରୀକ୍ଷା ରିପୋର୍ଟ ଦେଖାଇବା ପାଇଁ ଅନ୍ୟ ବାରକୁ ଅପେକ୍ଷା କରିବାକୁ ପଡୁଛି। ଏମିତି କି ଲାଇନ୍‌ରେ ଛିଡା ହୋଇ ‌ଶେଷରେ ଡାକ୍ତରଙ୍କ ପାଖକୁ ପହଂଚିଲାବେଳକୁ ବିଶେଷଜ୍ଞ ଡାକ୍ତର ରହୁ ନଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *

Back to top button