ନିପ୍ପନ୍ ଷ୍ଟିଲ୍ ହୋର୍ଡିଂକୁ ନେଇ ପ୍ରଶ୍ନ ଉଠିଲା

ଭୁବନେଶ୍ଵର : ରାଜ୍ୟ ସବୁ ସ୍ତରରେ ଓଡିଆ ଭାଷାର ବ୍ୟବହାରକୁ ନେଇ ଦିନେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିଲେ। ବିଭିନ୍ନ ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନର ନାମ ଫଳକରେ ଓଡିଆ ଲେଖାକୁ କରିଥିଲେ ବାଧ୍ୟତାମୂଳକ। ଏସବୁ ନିର୍ଦ୍ଦେଶରେ ରହିଯାଇଛି। ନାମ ଫଳକରେ କିଏ କ’ଣ ଲେଖୁଛି ଦେଖିବାକୁ କାହାର ସମୟ ନାହିଁ। ତେଣୁ ଶୁଦ୍ଧ ଓଡିଆ କ’ଣ ତାହା କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ମରା ଯାଇଥିବା ନିପ୍ପନ୍ ଷ୍ଟିଲ୍ କାରଖାନା ବଡ ହୋର୍ଡିଂରୁ ଜଣାପଡୁଛି। ଏଥିରେ ‘ନିଷ୍ପତ୍ତି’ ଲେଖାହେବା ପରିବର୍ତ୍ତେ ‘ନିଷ୍ପତି’ ଲେଖାଯାଇଛି। ଏ ଗୋଟିଏ ନୁହେଁ ଅନେକ ହୋର୍ଡିଂରେ ରହିଛି ଏଭଳି ଲେଖା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କେନ୍ଦ୍ରାପଡାରେ ନିପ୍ପନ୍ ଷ୍ଟିଲ୍ କାରଖାନା ହେବ। ରାସ୍ତା କଡରେ ବଡ ବଡ ହୋର୍ଡିଂ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମର୍ଥକ। ତେବେ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ଫାଇବ୍-ଟି ସଚିବ ଭିକେ ପାଣ୍ଡିଆନଙ୍କ ଫଟୋ ଦେଖିବାକୁ ମିଳିଛି। କିନ୍ତୁ ଓଡିଆ ଭାଷାରେ ତ୍ରୁଟିକୁ କାହାରି ଦୃଷ୍ଟି ନାହିଁ। ଯାହା ସୂଚାଇ ଦେଉଛି ଓଡିଆ ଭାଷା ପ୍ରତି ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ଓ ତାଙ୍କ ସମର୍ଥକଙ୍କ ଦରଦ।

କେବଳ ସେତିକି ନୁହେଁ ହୋର୍ଡିଂରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ସହ ପାଣ୍ଡିଆନଙ୍କ ଫଟୋ ସ୍ଥାନ ପାଇଥିବାରୁ ଏବେ ଏହାକୁ ନେଇ ରାଜନୀତି ତେଜିଛି। ହୋର୍ଡିଂରେ କାହିଁକି ସଚିବଙ୍କ ଫଟୋ ରହିଛି ତାହାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ ମେକ ଇନ୍ ଓଡିଶା କନକ୍ଲେଭ୍ ଜରିଆରେ ଓଡିଶାରେ ନିପନ୍ ଷ୍ଟିଲ୍ କାରଖାନା ପ୍ରତିଷ୍ଠା ନେଇ ଜାପାନରେ କମ୍ପାନୀ ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ। ଓଡିଶାର ଜଗତସିଂହପୁର ଓ କେନ୍ଦ୍ରାପଡାରେ ନିପ୍ପନ ଷ୍ଟିଲର କାରଖାନା ହେବବୋଲି ସ୍ଥିର ହୋଇଛି।

Leave a Reply

Your email address will not be published. Required fields are marked *

Back to top button