ପ୍ରେମ ବିବାହ କରିବାରୁ ଝିଅକୁ ଶୁଦ୍ଧିହେଲେ ବାପା-ମା’

କେନ୍ଦ୍ରାପଡା : ଝିଅ ପ୍ରେମ ବିବାହ କରିଥିବାରୁ ମା’-ବାପା ଶୁଦ୍ଧି ହୋଇଗଲେ। ଏପରି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ନୂଆବଜ଼ାର ଅଞ୍ଚଳରେ ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଳି ନୂଆବଜ଼ାରର ଶ୍ରୀବାସ୍ତବ ମଲ୍ଳିକଙ୍କ ସହିତ ସେହି ଅଞ୍ଚଳର ଜଣେ ଯୁବକଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା। ହେଲେ ଏଥିରେ ପରିବାର ଲୋକଙ୍କର ସହମତି ନଥିଲା। ସେମାନେ ବିରୋଧ କରିଥିଲେ। କିଛିଦିନ ତଳେ ପ୍ରେମିକା ନିଜ ଘର ଛାଡ଼ି ଶ୍ରୀବାସ୍ତବଙ୍କ ଘରକୁ ପଳାଇ ଆସିଥିଲେ। ଶ୍ରୀବାସ୍ତବଙ୍କ ପରିବାର ଲୋକେ ଏନେଇ ଥାନାରେ ଜଣାଇଥିଲେ। ପୋଲିସ ପୁଅ ଓ ଝିଅ ଘରର ଲୋକଙ୍କୁ ଡାକି ପଚରାଉଚରା କରିବାରୁ ଝିଅ ଶ୍ରୀବାସ୍ତବଙ୍କୁ ବିବାହ କରିବେ ବୋଲି ସର୍ବସମ୍ମୁଖରେ କହିଥିଲେ। ସୋମବାର ଦିନ ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ଦୁହିଁଙ୍କର ବିବାହ ସମ୍ପର୍ଣ୍ଣ ହୋଇଛି। ହେଲେ ଝିଅ ଘରର ଲୋକେ କେହି ଆସିନଥିଲେ।

ଅନ୍ୟ ପକ୍ଷରେ ଝିଅର ବାହାଘର ଚାଲିଥିବା ବେଳେ ତାଙ୍କ ପରିବାର ଲୋକ ବ୍ରାହ୍ମଣ ଡାକି ଝିଅକୁ ଶୁଦ୍ଧି ହୋଇଥିଲେ। ଶୁଦ୍ଧିକ୍ରିୟା ପରେ ହୋଇଥିଲା ଭୋଜିଭାତର ଆୟୋଜନ। ସେମାନେ ଲୋକଙ୍କୁ ଖାଇବାକୁ ଦେବା ସହିତ ଘର ସାମ୍ନା ଝିଅ ଫଟୋରେ ଫୁଲମାଳ ପକାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଝିଅ ବଞ୍ଚିଥିବା ବେଳେ ତାର ଶୁଦ୍ଧିକ୍ରିୟା କରିବା ଘଟଣା ଏବେ କେନ୍ଦ୍ରାପଡା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button