୪ଟି ଜିଲ୍ଲାରେ ବନ୍ୟା ଆଶଙ୍କା : ଏସଆରସି

ଭୁବନେଶ୍ୱର : ରାଜ୍ୟରେ ୪ ଜିଲ୍ଲା ଯଥା କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁରରେ ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। କହିଛନ୍ତି ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଯାହାର ପ୍ରଭାବରେ ଏସବୁ ଜିଲ୍ଲାରେ ନିମ୍ନ ମଧ୍ୟମ ଧରଣର ବନ୍ୟା ପାସ୍ କରିବ।

ଗୁରୁବାର ଶ୍ରୀ ଜେନା କହିଛନ୍ତି ଛତିଶଗଡରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୫ ଲକ୍ଷ ୨୦ ହଜାର ୪୫୭ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ ୨୮ଟି ଗେଟ୍ ଦେଇ ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି। ଯାହାର ପ୍ରଭାବରେ ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ଏହାବ୍ୟତୀତ ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେବ ବୋଲି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଏହା ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫର ୩୦ଟି ଟିମ, ଏନଡିଆରଏଫର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମକୁ ମୁତୟନ କରାଯାଇଛି। ତେବେ ବର୍ତମାନ ସୁଦ୍ଧା ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ୨ଜଣ ନିଖୋଜ ଅଛନ୍ତି।

ଏହାଛଡା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ୧୮ ତାରିଖରେ ଉତ୍ତର ଓଡ଼ିଶାରେ କେନ୍ଦ୍ରୀଭୂତ ହେବ। ଏହାକୁ ନଜରରେ ରଖି ୧୯ ଓ ୨୦ ତାରିଖରେ ଅଧିକ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଇଏମଡି ଡିଜି କହିଛନ୍ତି ପୂର୍ବ ଲଘୁଚାପ ଭଳି ଏହାର ପ୍ରଭାବ ନରହିପାରେ। ତେବେ ସୃଷ୍ଟି ଘୂର୍ଣିବଳୟକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତିନିଦିନ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଆଡେ ମୁହାଁଇବ। ଏହାର ପ୍ରଭାବରରେ ଆସନ୍ତାକାଲିଠାରୁ ପାଗ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହେବ। ୧୮ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ୧୮ ତାରିଖରେ ମୟୂରଭଂଜ, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହେବ। ୧୯ ତାରି୍ଖ ପାଇଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, ଭଦ୍ରକ, ବାଲେଶ୍ୱର. ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା। ସେହିପରି ୨୦ ତାରିଖରେ ଉତ୍ତର-ପଶ୍ଚିମ ଓଡ଼ିଶାର ୫ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ, ଦେବଗଡ ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave a Reply

Your email address will not be published. Required fields are marked *

Back to top button