ସୋମ୍ୟଙ୍କୁ ଭୟ କରୁଛନ୍ତି କି ବିଜେଡି ମୁଖିଆ ?

ଭୁବନେଶ୍ଵର : ଦୈନିକ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂପାଦକୀୟ ବିଜୁ ଜନତା ଦଳ ବା ବିଜେଡିକୁ ଅଡୁଆରେ ପକାଇଛି। ସେଥିପାଇଁ ଦଳ ପକ୍ଷରୁ ତାଙ୍କୁ କରାଯାଉଛି ବାରମ୍ବାର ଟାର୍ଗେଟ। ଜଣକ ପରେ ଜଣେ ନେତା କରୁଛନ୍ତି ସମାଲୋଚନା। ପରୋକ୍ଷରେ ଦଳ ଛାଡିବା ପାଇଁ କହୁଛନ୍ତି। କିନ୍ତୁ ସୌମ୍ୟଙ୍କ କ୍ଷେତ୍ରରେ ଏପରି କାହିଁକି ? ବିଜେଡି ମୁଖିଆ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭୟ କରୁଛନ୍ତି ?

ସାଧାରଣରେ ଆଲୋଚନା ହେଉଛି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯଦି ଦଳୀୟ ଶୃଙ୍ଖଳା ଭାଙ୍ଗିଛନ୍ତି ତେବେ କାର୍ଯ୍ୟାନୁଷ୍ଠାନ ହେବା କଥା। ହେଲେ ତାହା ନକରି ଜଣକ ପରେ ଜଣେ ବିଜେଡି ବିଧାୟକ ଓ ମନ୍ତ୍ରୀ ତାଙ୍କ ଉପରେ ଟିପ୍ପଣୀ ଦେଉଛନ୍ତି। ଏହାର କାରଣ କ’ଣ ? ଯଦି କଂସେଇ ଛେଳିକୁ ମାରିବି ବୋଲି ପଚାରେ, ସେ କ’ଣ କହିବ ମୋତେ ମାର। ଠିକ ସେହିଭଳି ଦଳ ଛାଡିବାକୁ ସୌମ୍ୟଙ୍କୁ ପରାମର୍ଶ ଦିଆଯାଉଛି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳର ମୁଖିଆ ପଛଘୁଞ୍ଚା ଦେଉଛନ୍ତି କାହିଁକି ?

ସେହିପରି ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ ଅତୀତରେ ଛାୟା ଦୁର୍ନୀତି ଅଭିଯୋଗରେ ନଳିନୀ ମହାନ୍ତି ଓ ଅନ୍ୟ କେତେଜଣଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ସେହି ସମୟରେ ତୁଣ୍ଡ ଖୋଲିଲେ ମୁଣ୍ଡ କାଟ। ଏହି ନୀତିରେ ପରବର୍ତ୍ତୀ ସମୟରେ ଯେଉଁମାନେ ଦଳ କିମ୍ବା ମୁଖିଆଙ୍କ ସମ୍ପର୍କରେ କିଛି ଟିପ୍ପଣୀ ଦେଲେ ସେମାନଙ୍କର ସମାନ ଦଶା ହେଲା। କିଏ ଦଳରୁ ବହିଷ୍କାର ଓ ଆଉ କିଏ ନିଲମ୍ବିତ ହେଲେ। କିନ୍ତୁ କିଛିବର୍ଷ ହେଲା ଭିନ୍ନତା ପରିଲକ୍ଷିତ ହେଉଛି। ଦୁର୍ନୀତି କିମ୍ବା ଦଳକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି। ଖୋସାମତିଆଙ୍କୁ ସବୁ ମାଫ ପରି ନୀତି ଆପଣାଯାଉଥିବା କୁହାଯାଉଛି।

ଅନ୍ୟପକ୍ଷରେ ବିଭିନ୍ନ ମହଲରେ ଲୋକେ କହୁଛନ୍ତି ଯେଉଁମାନେ ସୌମ୍ୟଙ୍କୁ ସମାଲୋଚନା କରୁଛନ୍ତି ସେମାନେ ତାଙ୍କ ନିକଟରେ ଅସହାୟତା ପ୍ରକାଶ କରୁଛନ୍ତି। କାରଣ ଏକ ବଡ ମିଡିଆ ତାଙ୍କ ପାଖରେ ଥିବାରୁ ସେମାନଙ୍କୁ ଘାରୁଛି ଗୁମର ଖୋଲିଯିବାର ଭୟ। ବୋଧହୁଏ ସୌମ୍ୟବାବୁ ସେଥିପାଇଁ ତାଙ୍କୁ ଟାର୍ଗେଟ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ କିଛି କହୁନାହାନ୍ତି। ଯଦି ଲୋକେ କହୁଥିବା କଥା ସତ ହୁଏ ତା’ହେଲେ ବିଜେଡି କେତୋଟି ଗୋଷ୍ଠୀରେ ବିଭକ୍ତ ହେବ ତାହା ଆଗାମୀ ଦିନରେ ଜଣାପଡିବ। କେବଳ ସେତିକି ନୁହେଁ ୨୦୨୪ ନିର୍ବାଚନରେ ପ୍ରାର୍ଥୀ ହେବାକୁ ବିଜେଡ଼ିର ଅନେକ ଆଶାୟୀ ରହିଛନ୍ତି। ଯେଉଁମାନଙ୍କୁ ସୁଯୋଗ ମିଳିବନି ବା ପ୍ରାର୍ଥୀ କରାଯିବନାହିଁସେମାନେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ଦଳ ବିପକ୍ଷରେ କାର୍ଯ୍ୟ କରିବେ। ତାହାଛଡା ନେତାଙ୍କୁ ଖୁସି କରିବାକୁ ସେମାନଙ୍କ ପ୍ରରୋଚନାରେ ନିର୍ବାଚନମଣ୍ଡଳୀରେ ଯେଉଁମାନଙ୍କୁ ଦଲବିରୋଧୀ ଆଖ୍ୟା ଦିଆଯାଇ ଦଳରୁ ଅନ୍ତର କରାଯାଇଛି ସେମାନେ ମଧ୍ୟ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ହେବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button