ସମ୍ବିଧାନ ସଂଶୋଧନ ନକରି ‘ଇଣ୍ଡିଆ’ ନାଁ ହଟାଇବା ଅସାମ୍ବିଧାନିକ : ମମତା

ନୂଆଦିଲ୍ଲୀ : ‘ଭାରତ’ ନାଁ ଉପରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ସମ୍ବିଧାନରେ ସଂଶୋଧନ ନକରି ‘ଇଣ୍ଡିଆ’ ନାମକୁ ହଟାଇବା ଅସାମ୍ବିଧାନିକ ଓ ଭୁଲ୍ ହେବ। ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଖବର ଅନୁଯାୟୀ ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ସେ ବାବୁଲ ସୁପ୍ରିୟୋଙ୍କୁ ପର୍ଯ୍ୟଟନ ବିଭାଗରୁ ହଟାଇ ଆଇଟି ଓ ଅକ୍ଷୟ ଶକ୍ତି ବିଭାଗ ଦେଇଛନ୍ତି। ପୂର୍ବରୁ ବନ ବିଭାଗର ଦାୟିତ୍ୱରେ ଥିବା ଜ୍ୟୋତିପ୍ରିୟା ମଲ୍ଲିକଙ୍କୁ ଏବେ ଶିଳ୍ପ ପୁନରୁଦ୍ଧାର ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ପଞ୍ଚାୟତ ବିଭାଗର ପ୍ରଦୀପ ମଜୁମଦାରଙ୍କୁ ସମବାୟ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାଛଡା ଶଶି ପାଞ୍ଜା, ଅରୂପ ରାୟ, ମହମ୍ମଦ ଗୁଲାମ ରବ୍ବାନୀ, ଇନ୍ଦ୍ରାନୀଲ ସେନଙ୍କୁ ମଧ୍ୟ ନୂଆ ଦାୟିତ୍ୱ ଦିଆଯାଇଛି। ଅରୂପ ରାୟଙ୍କ ସମବାୟ ବିଭାଗ ଥିବାରୁ ଏବେ ତାଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ବିଭାଗ ଦିଆଯାଇଛି। ବାବୁଲ ସୁପ୍ରିୟୋଙ୍କଠାରୁ ନିଆଯାଇଥିବା ପର୍ଯ୍ୟଟନ ବିଭାଗ ଇନ୍ଦ୍ରନୀଲ ସେନଙ୍କୁ ଦିଆଯାଇଛି। ଗୁଲାମ ରବ୍ବାନୀଙ୍କୁ ପରିବେଶ ମନ୍ତ୍ରଣାଳୟ ଦିଆଯାଇଛି।

ଏହି ଅବସରରେ ସାମ୍ବାଦିକ ସମ୍ମିଳନୀରେ ମମତା ‘ଇଣ୍ଡିଆ’ ଓ ‘ଭାରତ’ ନାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ‘ଭାରତ’ ନାଁ ଉପରେ ଆମର କୌଣସି ଆପତ୍ତି ନାହିଁ। କିନ୍ତୁ ସମ୍ବିଧାନରେ ସଂଶୋଧନ ନକରି ‘ଇଣ୍ଡିଆ’ ନାମକୁ ହଟାଇବା ଅସାମ୍ବିଧାନିକ ଓ ଭୁଲ୍ ହେବ। ସେହିପରି ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରୀ ପ୍ରତିଶୋଧମୂଳକ ମନେ ହେଉଛି ବୋଲି ସେ କହିଛନ୍ତି। ଏହାଛଡା ଅକ୍ଟୋବର ୨ ରେ ଆମେ ରାଜଘାଟଯାଇ ପୂଜାର୍ଚ୍ଚନା କରିପାରିବୁ। ଆମକୁ କେହି ଅଟକାଇ ପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମମତା।

Leave a Reply

Your email address will not be published. Required fields are marked *

Back to top button