କେନ୍ଦ୍ର ଓ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଖେଳୁଛନ୍ତି

ଭୁବନେଶ୍ୱର : ଦେଶ ଓ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭୂଷୁଡ଼ି ପଡ଼ିଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଖେଳ ଖେଳୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଖବର ଅନ୍ୟଯାୟୀ ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି ଦେଶରେ ୧୨୫୩ କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶାରେ ୬୭ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି। ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ୩୫ଟି ବିଦ୍ୟାଳୟରେ ଅଧ୍ୟକ୍ଷ ପଦ ଓ ୭୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ବେଳେ ୬୦ ପ୍ରତିଶତ ଶିକ୍ଷକ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶାର ରାଜନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟୀତ୍ୱ ନିର୍ବାହ କରୁଥିବାରୁ ରାଜ୍ୟବାସୀ ଭାବିଥିଲେ ସେ ଓଡ଼ିଆ ଲୋକ ହିସାବରେ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି କରିବେ। କିନ୍ତୁ ଏବେ ଉନ୍ନତି ପରିବର୍ତ୍ତେ ଅବନତି ଆଡ଼କୁ ଗତିକରୁଛି।

ସେ କହିଲେ ରାଜ୍ୟର ପୂର୍ବତନ ଗଣଶିକ୍ଷା ସଚିବ ଏବେ ଜଣେ ସାଂସଦ। ଆଜି ପର୍ଯ୍ୟନ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ବିଷୟରେ ସେ ମୁଁହ ଖୋଲିଲେ ନାହିଁ। ଏହାଠାରୁ ଲଜ୍ଜାକର କଥା କ’ଣ ଅଛି। ଶିକ୍ଷାର ମୂଳଦୁଆ ଯେତେ ଶକ୍ତ ହେବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସେତେ ଶକ୍ତ ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବେସରକାରୀ ଶିକ୍ଷାନୁଷ୍ଠାନ ସହ ମଧୂଚନ୍ଦ୍ରିକାରେ ରହି ସରକାରୀ ବିଦ୍ୟାଳୟ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି। ଯାହାର ଫଳସ୍ୱରୂପ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି ବୋଲି ଶ୍ରୀ ପତି ଅଭିଯୋଗ କରିଛନ୍ତି।

ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଦୂରବସ୍ଥା ପ୍ରତି ନିଘାନାହିଁ। ସେ ଓଡ଼ିଶାର ବିଭିନ୍ନ ସଭାସମିତିରେ ଓ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାରଙ୍କ ସ୍ତୁତିଗାନ କରୁଛନ୍ତି। ମାତ୍ର ନିଜ ରାଜ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ନିମ୍ନଗାମୀ ହେଉଥିବା ବେଳେ ଏହାର ସୁଧାରପାଇଁ ପଦକ୍ଷେପ ନେଉନାହାନ୍ତି। ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟରେ ଥିବା ଆବଶ୍ୟକୀୟ ଶିକ୍ଷକ ଓ ଅଧ୍ୟକ୍ଷ ପଦ ତୁରନ୍ତ ପୂରଣ ନହେଲେ ଛାତ୍ର କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଓ ଓଡ଼ିଶାର କେନ୍ଦ୍ରୀୟ ବିଦ୍ୟାଳୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ହେବ ବୋଲି ଶ୍ରୀ ନୱାଜ ପ୍ରକାଶ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଅପର୍ଣ୍ଣାଧିର ସିଂ ଓ ଅମିତ ମହାନ୍ତି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button