ଏକ୍ସ ଉପଭୋକ୍ତାଙ୍କଠାରୁ ମାସିକ ଦେୟ ଆଦାୟ କରିବ : ଏଲନ୍‌ ମସ୍କ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମାଗଣା ବ୍ୟବହାରର ସୁଯୋଗ ମିଳିବ ନାହିଁ। ସମସ୍ତ ବ୍ୟବହାରକାରୀଙ୍କ ଠାରୁ ସ୍ୱଳ୍ପ ମାସିକ ଦେୟ ଆଦାୟ କରିବାକୁ ଯାଉଛନ୍ତି ବୋଲି ଏଲନ୍‌ ମସ୍କ କହିଛନ୍ତି।

ଖବର ଅନୁଯାୟୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ସିଧା ପ୍ରସାରିତ ବାର୍ତ୍ତାଳାପରେ ଏକ୍ସ ମାଲିକ ମସ୍କ ସୂଚନା ଦେଇଛନ୍ତି ସାମାଜିକ ନେଟଓ୍ଵାର୍କ ପ୍ଲାଟଫର୍ମ ଆଉ ମାଗଣା ବା ଦେୟମୁକ୍ତ ସାଇଟ୍‌ ହୋଇପାରିବନି। ‘ବଟ’ର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ। ‘ଏକ୍ସ’ରେ ସମସ୍ତଙ୍କୁ ଦେୟଯୁକ୍ତ କରିବା ସମ୍ପର୍କରେ ଗତବର୍ଷ ମସ୍କ ସୂଚନା ଦେଇଥିଲେ। କମ୍ପାନି ବର୍ତ୍ତମାନ ଏହାର ଏକ୍ସ ପ୍ରିମିୟମ ଉପଭୋକ୍ତାଙ୍କ ଠାରୁ ମାସକ ୮ ଡଲାର ଆଦାୟ କରୁଛି। ଯାହା ସେମାନଙ୍କୁ ସେମାନଙ୍କ ପୋଷ୍ଟଗୁଡିକୁ ସମ୍ପାଦନା କରିବା, କମ୍‌ ବିଜ୍ଞାପନ ଦେଖିବା, ଲମ୍ବା ପୋଷ୍ଟ ଲେଖିବା ଓ ସର୍ଚ୍ଚ ଏବଂ ବାର୍ତ୍ତାଳାପରେ ପ୍ରାଥମିକତା ମାନ୍ୟତା ଦେବାର କ୍ଷମତା ପ୍ରଦାନ କରୁଛି।

ମସ୍କ କହିଛନ୍ତି ‘ଏକ୍ସ’ରେ ଏବେ ୫୫୦ ନିୟୁତ ମାସିକ ଉପଭୋକ୍ତା ପ୍ରତିଦିନ ୧୦୦-୨୦୦ ନିୟୁତ ପୋଷ୍ଟ କରୁଛନ୍ତି। ତେବେ ବର୍ତ୍ତମାନ ଏହାର କେତେ ଦେୟ ପ୍ରଦାନକାରୀ ଗ୍ରାହକ ବା ପେଡ୍‌ ସବ୍‌ସ୍କ୍ରାଇବର ଅଛନ୍ତି ମସ୍କ ପ୍ରକାଶ କରି ନାହାନ୍ତି।

Leave a Reply

Your email address will not be published. Required fields are marked *

Back to top button