ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

ଭୁବନେଶ୍ଵର : ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।

ଖବର ଅନୁଯାୟୀ ବିଜେଡି ପକ୍ଷରୁ ଜାରି ହୋଇଥିବା ପ୍ରେସ ରିଲିଜ୍‌ରେ କୁହାଯାଇଛି ‘ସମ୍ବାଦ’ ଲୋନ୍‌ ସ୍କାମ୍‌ ନେଇ ସୌମ୍ୟଙ୍କୁ ବହିଷ୍କାର କରାଯାଇଛି। ସୌମ୍ୟଙ୍କ ନାଁରେ ଏନେଇ ଇଓଡବ୍ଲୁରେ ଅନେକ ପୂର୍ବତନ କର୍ମଚାରୀ ଅଭିଯୋଗ କରିଛନ୍ତି। ୩ଶହରୁ ଅଧିକ କର୍ମଚାରୀଙ୍କ ନାଁରେ ଲୋନ୍‌ ଉଠାଯାଇଛି। ଜାଲ୍‌ ଡକ୍ୟୁମେଣ୍ଟ ଯୋଗେ କୋଟି କୋଟି ଟଙ୍କା ଲୋନ୍‌ ଉଠାଇବା ପାଇଁ ଏହା ଏକ ସଂଗଠିତ ବ୍ୟାଙ୍କ୍‌ ଫ୍ରଡ୍‌ ବୋଲି ଉଲ୍ଲେଖ ରହିଛି।

ସେହିପରି ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ସବ୍‌ସିଡି ସ୍କାମ୍‌ ମାମଲାରେ ବହିଷ୍କାର କରାଯାଇଛି। ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବ୍‌ସିଡି ସେ ହଡ଼ପ କରିଛନ୍ତି। ସୁଧାଂଶୁଙ୍କ ପରିଚାଳନାଧୀନ କଂପାନୀ ୩ କୋଟି ହଡ଼ପ କରିଛି। ଲୋକପାଳଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ମାମଲାର ତଦନ୍ତ କରୁଛି।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧୨ ତାରିଖରେ ସୌମ୍ୟଙ୍କୁ଼ ବିଜେଡିର ଉପସଭାପତି ପଦରୁ ବହିଷ୍କାର କରାଯାଇଥିଲା। ୨୦୧୮ ମାର୍ଚ୍ଚରେ ସୌମ୍ୟ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଥିଲେ। ୨୦୨୦ରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଥିଲା। ମାତ୍ର ପରେ ତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟା ଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button