Wed. Nov 20th, 2019

ରହସ୍ୟମୟ କୂଅ

ଦୁନିଆରେ ଅନେକ ଆଶ୍ଚର୍ଯ୍ୟ ରହିଛି। ଏସବୁ ସ୍ଥାନରେ ପ୍ରକୃତି ସୃଷ୍ଟି କରିଥିବା ରହସ୍ୟକୁ ଜାଣିବା ଆଜିଯାଏ ସମ୍ଭବ ହୋଇନି। ବିଜ୍ଞାନ ଫେଲ ମାରିଛି। ଜାଣିବାକୁ ଚେଷ୍ଟାକରି ବୈଜ୍ଞାନିକମାନେ ହୋଇଛନ୍ତି ଅସଫଳ। ଏହିପରି ଏକ କୂଅ ବିହାରର ପାଟନାରେ ରହିଛି। ଏହି ଅଗମ କୂଅ ବିଷୟରେ ବହୁ କଥା କୁହାଯାଏ। କିନ୍ତୁ କୂଅଟି ଯେତିକି ରହସ୍ୟମୟୀ ସେତିକି ଭୟାନକ। ସାଧାରଣ କୂଅଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ।

ବିହାରର ରାଜଧାନୀ ପାଟନା ସହରର ଏଇ ଅଗମ କୂଅକୁ ଦୁନିଆର ରହସ୍ୟମୟୀ କୂଅ ମଧ୍ୟରେ ସାମିଲ କରାଯାଇଛି। କୂଅଟି ବାହାରୁ ସାଧାରଣ କୂଅପରି ଦେଖାଯାଉଥିଲେ ହେଁ ଏହାର ଭିତର ଅସାଧାରଣ ବୋଲି କୁହାଯାଇ ପାରିବ। ଅଢେଇ ହଜାର ବର୍ଷ ବିତି ଯାଇଥିଲେ ମଧ୍ୟ ଏହି କୂଅର ପାଣି ସୁଖି ନାହିଁ। ଏପରିକି ତାପମାତ୍ରା ବୃଦ୍ଧି ହେଲେ କିମ୍ବା ବନ୍ୟା ହେଲେ ଏ କୂଅର ପାଣି ଉପରେ କୌଣସି ପ୍ରଭାବ ପଡେନି। ଏବେ ଏଏସଆଇ ଏହାର ରକ୍ଷଣାବେକ୍ଷଣା କରୁଛି। 

କୁହାଯାଉଛି ସମ୍ରାଟ ଅଶୋକଙ୍କର ୯୯ ଭାଇଙ୍କ ଶବ ଏହି କୂଅରେ ପୋତା ଯାଇଛି। ଅଶୋକଙ୍କୁ ଲାଗିଥିଲା ୯୯ ଭାଇ ତାଙ୍କ ରାଜଗାଦୀ ପାଇଁ ବାଧକ ହୋଇ ପାରନ୍ତି। ତେଣୁ ସେମାନଙ୍କୁ ହତ୍ୟା କରି ଏହି କୂଅରେ ପୋତିଥିଲେ। ଏପରିକି କୁହାଯାଏ ସମ୍ରାଟ ଅଶୋକ ସେଠାରେ ବହୁ ଗୁପ୍ତଧନ ଲୁଚାଇ ରଖିଥିଲେ। କେବଳ ସେତିକି ନୁହେଁ କୂଅ ମଧ୍ୟରେ ଆହୁରି ୯ଟି କୂଅ ଓ ସୁଡଙ୍ଗ ମଧ୍ୟ ରହିଛି। ଏଇ ସୁଡଙ୍ଗ ଅନ୍ୟ ରାଜ୍ୟଗୁଡିକୁ ଲମ୍ବିଛି।

ଆହୁରି ଆଶ୍ଚର୍ଯ୍ୟ ଯେ, ଅଗମ କୂଅ ଭିତରେ ୯ଟି କୂଅ ନିର୍ମାଣ କରିବା ପରେ ଗୁପ୍ତଧନ ରଖିବା ପାଇଁ ୧୦ମ କୂଅ ଖୋଳା ଯାଇଥିଲା। ଅଗମ କୂଅରେ ପାଣି ଥିବା ସତ୍ତ୍ଵେ ମଧ୍ୟ ୧୦ମ କୂଅରେ ପାଣି ରହେନି। ଏହା ଶୁଖିଲା ଥାଏ।

Leave a Reply

Your email address will not be published. Required fields are marked *