ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅମରିନ୍ଦର ସିଂ

ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆଜି ଅପରାହ୍ଣ ସାଢେ ୪ଟା ବେଳେ ଇସ୍ତଫା ଦେଇଛନ୍ତି। କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳ ବନୱାରୀଲାଲ ପୁରୋହିତଙ୍କୁ ଭେଟି ପ୍ରଦାନ କରିଛନ୍ତି। ଏହି ଅବସରରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଅପମାନିତ ଅନୁଭବ କରିବା ପରେ ଇସ୍ତଫା ଦେଇଛି। ସମର୍ଥକମାନଙ୍କ ସହ ଆଲୋଚନା ପରେ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବି।

ଇସ୍ତଫା ଦେବା ପରେ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି ସିଦ୍ଧୁଙ୍କୁ ସେ ମୁଖ୍ୟମନ୍ତ୍ରୀଭାବେ ଗ୍ରହଣ କରିବେ ନାହିଁ। ସେ ଜଣେ ଅଯୋଗ୍ୟ ବ୍ୟକ୍ତି। ମନ୍ତ୍ରୀ ଥିବାବେଳେ ଗୋଟିଏ ବିଭାଗକୁ ଚଳାଇପାରିଲେ ନାହିଁ। ମୁଖ୍ୟମନ୍ତ୍ରୀ ହେବା ପରେ ସମଗ୍ର ପଂଜାବକୁ ଧ୍ୱଂସ କରିଦେବେ। ଜାତୀୟ ସ୍ତରର ଏକ ଗଣମାଧ୍ୟମକୁ ଅମରିନ୍ଦର କହିଛନ୍ତି ତାଙ୍କ ପାଇଁ ସବୁ ବିକଳ୍ପ ଖୋଲାଅଛି। ରାଜନୀତିରେ କେବେ ବିକଳ୍ପ ବନ୍ଦ ହୋଇ ନଥାଏ। ତେଣୁ ଖୁବଶୀଘ୍ର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଗତ ଦୁଇମାସରେ ୩ ଥର କଂଗ୍ରେସ ବିଧାୟକଦଳ ବୈଠକ ଡକାଯାଇଥିଲେ ମଧ୍ୟ ତାଙ୍କୁ ସୂଚୀତ କରାଯାଇନଥିଲା। ଏହାଦ୍ୱାରା ସେ ଅପମାନିତ ଅନୁଭବ କରିଥିଲେ। ତେବେ ବିଜେପିରେ ଯୋଗ ଦେବା ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ସେ ମନାକରିଦେଇଛନ୍ତି।

ଅନ୍ୟପକ୍ଷରେ ଶନିବାର ପଂଜାବ କଂଗ୍ରେସ ବିଧାୟକ ଦଳ ବୈଠକରେ ଦୁଇଟି ସଂକଳ୍ପ ଗୃହୀତ ହୋଇଛି। ପ୍ରଥମ ସଂକଳ୍ପରେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିବାବେଳେ ଦ୍ୱିତୀୟ ସଂକଳ୍ପରେ ବିଧାୟକ ଦଳ ନେତା ଅର୍ଥାତ ପରବର୍ତ୍ତି ମୁଖ୍ୟମନ୍ତ୍ରୀ ବାଛିବା ଦାୟିତ୍ୱ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପରେ ନ୍ୟସ୍ତ କରାଯାଇଛି। ସୋନିଆ ଯାହାକୁ ବାଛିବେ ବିଧାୟକମାନେ ତାଙ୍କୁ ସମର୍ଥନ କରିବେ ବୋଲି କଂଗ୍ରେସର ପଂଜାବ ପ୍ରଭାରୀ ହରିଶ ରାୱତ କହିଛନ୍ତି। ତେବେ ଆଜିର ବୈଠକରେ ବିଧାୟକ ଦଳ ନେତାଭାବେ କୌଣସି ନାମ ଉପରେ ଚର୍ଚ୍ଚା କରାଯାଇ ନଥିଲା ବୋଲି ପଂଜାବ କଂଗ୍ରେସ ପର୍ୟ୍ୟବେକ୍ଷକ ଅଜୟ ମାକେନ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button