ଭୁବନେଶ୍ଵର ମେଟ୍ରୋ ରେଳ : ନୂଆବର୍ଷରେ ଶିଳାନ୍ୟାସ

ଭୁବନେଶ୍ଵର : ଆସନ୍ତା ଜାନୁଆରି ୧ରେ ଭୁବନେଶ୍ଵର ମେଟ୍ରୋ ରେଲ୍‌ ପାଇଁ ଶିଳାନ୍ୟାସ ହେବ। ଭୁବନେଶ୍ଵର ମେଟ୍ରୋ ରେଲ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିପିଆରକୁ ଅନୁମୋଦନ କରିଛନ୍ତି। ରାଜ୍ୟ ସରକାର ଏହି ମେଗା ପ୍ରକଳ୍ପ ପାଇଁ ୫୯୨୯ କୋଟିର ମୋଟ ବ୍ୟୟବରାଦ ବହନ କରିବେ। ସପ୍ଳିମେଣ୍ଟାରି ବଜେଟ୍‌ରେ ୨୧୦ କୋଟି ଟଙ୍କା ମଞ୍ଜୁର ହୋଇଛି। ତେଣୁ ଭୁବନେଶ୍ଵର ମେଟ୍ରୋ ପାଇଁ ଖୁବ ଶୀଘ୍ର କାମ ଆରମ୍ଭ ହେବ। ଏହି ପ୍ରକଳ୍ପର ନିର୍ମାଣ କାମ ଆଗାମୀ ୪ ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୪ ଜାନୁଆରି ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶିଳାନ୍ୟାସ କରିବେ।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରାୟ ୨୬କିଲୋମିଟର ମଧ୍ୟରେ ୧୮ଟି ଷ୍ଟେସନ ରହିବ ବୋଲି ଡିପିଆରରୁ ଜଣାପଡ଼ିଛି। ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌(ଡିଏମଆରସି) ଡିପିଆର ପ୍ରସ୍ତୁତ କରିଛି। ଡିଏମଆରସି ଦ୍ୱାରା ଭୁବନେଶ୍ୱରରେ ସର୍ଭେ କରିବା ପରେ ଡିଏମ୍‌ଆରସି ପକ୍ଷରୁ ଗତ ଅଗଷ୍ଟ ୧୫ ତାରିଖ ଦିନ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ଦାଖଲ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌ ୨୬କିମି ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ତ୍ରିଶୁଳିଆ ସମେତ ୨୦ଟି ଷ୍ଟେସନ ରହିବ। ଉଭୟ ଆରମ୍ଭ ଓ ଶେଷ ଷ୍ଟେସନ ମଝିରେ କ୍ୟାପିଟାଲ ହସ୍ପିଟାଲ, ଶିଶୁ ଭବନ ଛକ, ବାପୁଜୀ ନଗର, ଭୁବନେଶ୍ୱର ରେଳଷ୍ଟେସନ, ରାମମନ୍ଦିର ଛକ, ବାଣୀବିହାର, ଆଚାର୍ଯ୍ୟ ବିହାର ଛକ, ଜୟଦେବ ବିହାର ଛକ, ଜାଭିୟର ଛକ, ରେଳ ସଦନ, ଡିଷ୍ଟ୍ରିକ୍ଟ ସେଂଟର, ଡମଣା ଛକ, ପଟିଆ ଛକ, କିଟ ଛକ, ନନ୍ଦନ ବିହାର, ରଘୁନାଥପୁର, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଫୁଲପୋଖରୀ ରହିବ।

Leave a Reply

Your email address will not be published. Required fields are marked *

Back to top button