ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ‌ପାଇଁ ଲାଗୁ ହେବ ଡ୍ରେସ୍‌ କୋର୍ଡ

ପୁରୀ : ବିଶ୍ଵପ୍ରସିଦ୍ଧ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଡ୍ରେସ୍‌ କୋର୍ଡ। ଏହା କୌଣସି ଏକ ରଂଗ ଓ ଡିଜାଇନରେ ସୀମିତ ରହିବନି। ଭକ୍ତଙ୍କର ପୋଷାକରେ ଶାଳୀନତା ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଇଛି। ଭକ୍ତଙ୍କ ପୋଷାକରେ ଶାଳୀନତା ନଥଲେ ମନ୍ଦିର ପ୍ରବେଶ ମନା। ଆସନ୍ତା ଜାନୁଆରି ପହିଲାରୁ ଏହି ନିୟମ ଲାଗୁ ହେବ। ଆସନ୍ତାକାଲି ଠାରୁ ଭକ୍ତମାନଙ୍କୁ ସଚେତନ କରାଇବ ଶ୍ରୀମନ୍ଦିର ପ୍ରଶାସନ।

ଖବର ଅନୁଯାୟୀ ୨୦୨୪ ଜାନୁଆରି ୧ ତାରିଖ ଠାରୁ ସିଂହଦ୍ଵାରରେ ଶ୍ରୀଜଗନ୍ନାଥ ମନ୍ଦିର ପୋଲିସ (ଜେଟିପି) ଓ ଶ୍ରୀମନ୍ଦିର ଭିତରେ ରହୁଥିବା ପ୍ରତିହାରୀ ସେବକ ଭକ୍ତଙ୍କ ପୋଷାକକୁ ତଦାରଖ କରିବେ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାସ କହିଛନ୍ତି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ମଧ୍ୟରେ ଶାଳୀନତା ରହୁନାହିଁ। ଏହାଦ୍ଵାରା ଶ୍ରୀମନ୍ଦିରର ଧାର୍ମିକ ଭାବନା କ୍ଷୁର୍ଣ୍ଣ ହେଉଛି। ତେଣୁ ଭକ୍ତମାନଙ୍କୁ ଅନୁରୋଧ କରାଯିବ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧି ମନ୍ଦିରକୁ ପ୍ରବେଶ କରନ୍ତୁ। ତେବେ ଛୋଟ ପିଲାଙ୍କ ପାଇଁ ଏହି କଟକଣା ରହିବ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଶ୍ରୀମନ୍ଦିରରେ ପ୍ରାୟ ବର୍ଷେ ହେଲା ସେବାୟତଙ୍କ କ୍ଷେତ୍ରରେ ଡ୍ରେସକୋଡ୍‌ ଲାଗୁ ହୋଇଛି। ସେମାନେ ପାରମ୍ପରିକ ପୋଷାକ ପରିଧାନ କରି ମହାପ୍ରଭୁଙ୍କ ସେବାକାର୍ଯ୍ୟ ଆରମ୍ଭ କରିଛନ୍ତି। ମକୁଟା, ରଣପୁରୀ, ଧୋବ(ଧୋତି), ପାଟ ଆଦି ପିନ୍ଧି ପାଳି ଖଟିଛନ୍ତି। ସେବାୟତଙ୍କ ପାଇଁ ଡ୍ରେସ୍‌ କୋର୍ଡ ବ୍ୟବସ୍ଥା ଲାଗୁ ହେଲା ପରେ ଭକ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବା ପାଇଁ ଦାବି ହୋଇ ଆସୁଛି।

Leave a Reply

Your email address will not be published. Required fields are marked *

Back to top button