Wed. Nov 20th, 2019

ନିରଞ୍ଜନଙ୍କୁ ହଟାଇବା ପାଇଁ ନେତା ଏକାଠି ହେଲେ

ଭୁବନେଶ୍ୱର (ଯଦୁନାଥ ଓଝା) : ରାଜ୍ୟ କଂଗ୍ରେସରେ ଆରମ୍ଭ ହୋଇଗଲା ପିସିସି ସଭାପତି ହଟାଓ ଅଭିଯାନର ପ୍ରଥମ ପର୍ବ। ଆଗକୁ ଏଇ ବିଦ୍ରୋହ ତେଜିବ। ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପର୍ଯ୍ୟନ୍ତ ଜାରି ରହିବ ପ୍ରୟାସ। ପାନ୍ଥନିବାସରେ କଂଗ୍ରେସ ନେତାଙ୍କ ମେଳି ଏହାହିଁ ସୂଚୀତ କରୁଛି।

ରାଜ୍ୟରେ କଂଗ୍ରେସ ସଂଗଠନ ଆଉ ଆଗକୁ ବଢୁନି। ଦୁର୍ବଳ ନେତୃତ୍ଵ ପାଇଁ ନିର୍ବାଚନରେ ଦଳର ବାରମ୍ବାର ନୈରାଶ୍ୟଜନକ ପ୍ରଦର୍ଶନ ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି। ଏହି କାରଣରୁ କେତେଜଣ ଅନ୍ୟ ଦଳକୁ ଚାଲିଗଲେଣି। ଯେଉଁ ସଂଗଠକମାନେ ଅଛନ୍ତି ସେମାନେ ଦଳକୁ ଆଗକୁ ନେଇ ପାରନ୍ତେ। କିନ୍ତୁ ସୁଯୋଗ ମିଳୁନି। ଗୋଡାଣିଆଙ୍କୁ ଦିଆଯାଉଛି ଦାୟିତ୍ଵ। ନିରଞ୍ଜନ ପଟ୍ଟନାୟକଙ୍କ ପିସିସି ସଭାପତି ସମୟରେ ଏପରି ହୋଇଥିବା ଅଭିଯୋଗ ହେଉଛି। ତେଣୁ କଂଗ୍ରେସ ପ୍ରେମୀମାନେ ମନସ୍ତ କଲେଣି ନିରଞ୍ଜନଙ୍କୁ ପିସିସି ସଭାପତି ଗାଦିରୁ ତଡିବେ। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ପାଇଁ କରିବେ ଲବି। ଦିଲ୍ଲୀଯାଇ ଦଳର ହାଇକମାଣ୍ଡ ସୋନିଆଙ୍କୁ ଭେଟି ସବୁ କଥା କହିବେ।

ଓଡିଶାରେ ୨୦୧୯ ସାଧାରଣ ନିର୍ବାଚନ ଓ ଦୁଇଟି ଉପନିର୍ବାଚନ ଫଳାଫଳ କଂଗ୍ରେସ କର୍ମୀ ଓ ନେତାଙ୍କୁ ହତାଶ କରିଛି। ପିସିସି ସଭାପତିଙ୍କ ଅପାରଗତା ପାଇଁ ଦଳୀୟ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ସମ୍ଭବ ହୋଇପାରିନି। ନିରଞ୍ଜନ ପଟ୍ଟନାୟକଙ୍କ ପାଇଁ ଏପରି ପରିସ୍ଥିତି ସୃଷ୍ଟିହେଲା ବୋଲି କେତେକ ଖୋଲାଖୋଲି କହୁଛନ୍ତି। ସେମାନଙ୍କ ମତ ଦଳକୁ ରକ୍ଷା କରିବାକୁ ହେଲେ ପିସିସି ସଭାପତି ବଦଳିବା ଦରକାର। ନଚେତ ଓଡିଶାରେ କଂଗ୍ରେସର ସତ୍ତା ହଜିଯିବ। ଦଳରେ ଏହିଭଳି ଚର୍ଚ୍ଚା ଚାଲିଥିବା ବେଳେ ନିରଞ୍ଜନ ହଟାଓ ଅଭିଯାନ ପାଇଁ ଭୁବନେଶ୍ଵର ପାନ୍ଥ ନିବାସରେ ଆୟୋଜନ ହୋଇଥିଲା ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଏକାଠି ହୋଇଥିଲେ ନେତା। ଏଥିରେ ନିରଞ୍ଜନଙ୍କ କ୍ୟାମ୍ପର କେତେଜଣ ରହିଥିବା ବେଳେ ପାରାଦୀପର କଂଗ୍ରେସ ନେତା ବାପି ସର୍ଖେଲ କୁଆଡେ ନେତୃତ୍ୱ ନେଇଥିଲେ ବୋଲି ଶୁଣିବାକୁ ମିଳିଛି। ବାପିଙ୍କର ଏହି ଉଦ୍ୟମ ସଫଳ ହେବ କି ନାହିଁ ତାହା ସମୟ କହିବ। କିନ୍ତୁ କଂଗ୍ରେସର ଅନେକ ନେତା ଓ କର୍ମୀ ନିରଞ୍ଜନ ହଟାଓ ସପକ୍ଷରେ ରହିଥିବା ଜଣାପଡିଛି।

ତେବେ ଯାହା ସୂଚନା ମିଳିଛି ପାନ୍ଥ ନିବାସ ବନ୍ଧୁ ମିଳନରେ ମୁରଲୀଧର ଜେନା, କୁମାର ଚିରଞ୍ଜିବ, ସନତ ଦାଶ, ଅଶୋକ ସାମଲ, ସଞ୍ଜୟ ହାସ, ତ୍ରିଲୋଚନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏମାନଙ୍କ ପଛରେ ଆହୁରି ଅନେକ ନେତା ରହିଛନ୍ତି। ହେଲେ ପଦାରେ ନପଡି ଏଇ ବଡ ନେତାମାନେ ସହମତି ଜଣାଇଛନ୍ତି। ଠିକଣା ସମୟରେ ଆଗକୁ ଆସିବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *