ଏକାମ୍ର ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରିବାକୁ ଠିକା ସଂସ୍ଥାକୁ ୫-ଟି ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏଥିସହ ପ୍ରକଳ୍ପର ବିଭିନ୍ନ ଜାଗା ପରିଦର୍ଶନ କରିବା ସହ ଡିଜାଇନ୍‌ ଚୂଡ଼ାନ୍ତ କରି ତୁରନ୍ତ କାମ ଆରମ୍ଭ କରିବାକୁ ଠିକା ନେଇଥିବା ଏଜେନ୍‌ସିକୁ ଦେଇଛନ୍ତି ନିର୍ଦ୍ଦେଶ। ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କର ଏହା ସ୍ଵପ୍ନର ପ୍ରକଳ୍ପ। ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ ହେବା ଉଚିତ।

ଖବର ଅନୁଯାୟୀ ସୋମବାର ସନ୍ଧ୍ୟାରେ ୫-ଟି ସଚିବ ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳ ବୁଲିବା ପରେ ଠିକା ନେଇଥିବା ସଂସ୍ଥା ସହ ଆଲୋଚନା କରିଥିଲେ। ସମ୍ପୃକ୍ତ ସଂସ୍ଥା ପ୍ରସ୍ତୁତ କରିଥିବା ଯୋଜନା ବିଷୟରେ ଅବଗତ ହେବା ପରେ ନିର୍ମାଣ ସାମଗ୍ରୀ ଓ ଯନ୍ତ୍ରପାତି ଘଟଣାସ୍ଥଳକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମେ ଲିଙ୍କ୍‌ ରୋଡ୍‌ କାମ ଆରମ୍ଭ କରିବାକୁ କହିଥିଲେ। ଏଥିରେ ତାଳେଶ୍ବରରୁ କୋଟିତୀର୍ଥେଶ୍ବର ରାସ୍ତା ଓ ସାନିଟୋରିୟମ୍‌ ଛକରୁ ତାଳେଶ୍ବର ଓ ଆଗକୁ ବକ୍ସ ଡ୍ରେନ୍‌ ନିର୍ମାଣ ରହିଛି। ସେହିଭଳି ଉତ୍ତର ପାର୍ଶ୍ବରେ ପାର୍କିଂ ସ୍ଥଳ ବିକାଶ ସହିତ ଏହାକୁ ସଂଯୋଗ କରୁଥିବା ପ୍ରତ୍ୟେକ ରାସ୍ତାର ଉନ୍ନତୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବଦ୍ବାର ଛକର ଉଭୟପାର୍ଶ୍ବରେ ସର୍ବସାଧାରଣଙ୍କ ପାଇଁ ମୌଳିକ ସୁବିଧା ଉପଲବ୍ଧ କରାଇବା ସହ ଲିଙ୍ଗରାଜ ହାଟ ପଛ ଓ ଦକ୍ଷିଣ-ପଶ୍ଚିମ ପାର୍କିଂ ସ୍ଥଳ ବିକାଶ ଏକ ସଙ୍ଗେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋପରି ପ୍ରକଳ୍ପ କିଭଳି ଧାର୍ଯ୍ୟ ସମୟରେ ଶେଷ ହେବ ଓ ପ୍ରତ୍ୟେକ କାମ କିଭଳି ତ୍ବରିତ ହୋଇପାରିବ ତାହା ଉପରେ ଗୁରୁତ୍ବାରୋପ କରିଥିଲେ।

୨୦୧୯ ମସିହାରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା। ଚଳିତବର୍ଷ ଜୁନ୍‌ ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥି‌ଲେ। ଏକାମ୍ର କ୍ଷେତ୍ର ଭାବରେ ଜଣାଶୁଣା ପୁରୁଣା ଭୁବନେଶ୍ବର ମାଳ ମାଳ ମନ୍ଦିର ସହ ପବିତ୍ର ପୁଷ୍କରିଣୀ, ନିଆରା ପରମ୍ପରା ଓ ସଂସ୍କୃତି ଏବଂ ଐତିହ୍ୟ ସମ୍ପନ୍ନ ସହର। ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳର ଐତିହ୍ୟର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ଅବିରତ ଉଦ୍ୟମ କରି ଆସିଛନ୍ତି। ଏକାମ୍ର ପ୍ରକଳ୍ପ ସହ ବିନ୍ଦୁସାଗର ପୁନରୁଦ୍ଧାର ଓ ଏକାମ୍ର ବନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ସେ ଯୋଜନା କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ୍‌ ଏହି ଅବସରରେ ସୂଚନା ଦେଇଥିଲେ। ୫-ଟି ସଚିବଙ୍କ ସହ ପୂର୍ତ୍ତ ସଚିବ ଭିଭି ଯାଦବ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେଏସ୍‌ ଚକ୍ରବର୍ତ୍ତୀ, ଓବିସିସି ଏମ୍‌ଡି ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button