Thu. May 23rd, 2019
989 views

ଯାଜପୁର ସ୍ଥିତି ବଦଳୁଛି : ୬ଟି ବିଧାନସଭା କ୍ଷେତ୍ରରେ ବିଜେଡି-ବିଜେପି ମୁକାବିଲା, ଗୋଟିଏରେ କଂଗ୍ରେସ ଦେବ କଡା ଟକ୍କର

ସେୟାର କରନ୍ତୁ:-

ଭୁବନେଶ୍ୱର : ଯାଜପୁର ଲୋକସଭା କ୍ଷେତ୍ରରେ ରାଜନୈତିକ ଦୃଶ୍ୟପଟ୍ଟ ବଦଳୁଛି । ଭାରତୀୟ ଜନତା ପାର୍ଟି ଶକ୍ତି ବୃଦ୍ଧିକରି ୬ଟି ବିଧାନସଭା କ୍ଷେତ୍ରରେ ପ୍ରତିପକ୍ଷ ଦଳ ବିଜେଡି ସହିତ ମୁକାବିଲା ସ୍ଥିତିକୁ ଆସିଥିବା ବେଳେ କୋରେଇରେ କଂଗ୍ରେସ-ବିଜେଡି ମଧ୍ୟରେ କଡା ଟକ୍କର ହେବ । ଜିଲ୍ଳାର ବିଭିନ୍ନ ସ୍ଥାନରେ ଚାଲିଛି ଏହି ଚର୍ଚ୍ଚା । କିନ୍ତୁ କେତେକ କହୁଛନ୍ତି ବିଜେପିର ଦମ୍ଭ ଭୋଟ ଗ୍ରହଣ ପର୍ଯ୍ୟନ୍ତ ରହିବନି । କୌଣସି ସମୟରେ ଲୋକେ ବଦଳି ଯିବାର ସମ୍ଭାବନା ରହିିଛି

ସାଧାରଣରେ ହେଉଥିବା ଆଲେଚନା ଅନୁଯାୟୀ ଚଳିତ ନିର୍ବାଚନରେ ଦିନକୁ ଦିନ ସ୍ଥିତି ବଦଳୁଛି । ୧୦୧୪ର ପରିସ୍ଥିତି ୨୦୧୯ରେ ନାହିଁ । ପରିବର୍ତ୍ତନ ସପକ୍ଷରେ ଅନେକଙ୍କ ମତ । ହେଲେ ଭୋଟ୍ କେଉଁ ଦଳ ସପକ୍ଷରେ ଯିବ ତାହା ଅସ୍ପଷ୍ଟ । ଏହାର ସୁଯୋଗ ନେଇ ବିଜେପି ଯାଜପୁର ଲୋକସଭା କ୍ଷେତ୍ରରେ ଶକ୍ତି ବୃଦ୍ଧି କରିଛି । ସ୍ଥିତି ଏପରି ହୋଇଛି ଯେ, ୬ଟି ବିଧାନସଭା କ୍ଷେତ୍ରରେ ବିଜେପି-ବିଜେଡି ମଧ୍ୟରେ ମୁକାବିଲା ହେବ । ଗୋଟିଏ ଅର୍ଥାତ୍ କୋରେଇରେ ହେବ କଂଗ୍ରେସ-ବିଜେଡି ଲଢେଇ । ଯାଜପୁର ଓ ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବିଜେଡିର ସ୍ଥିତି ଖରାପ ନୁହେଁ । ତେଣୁ ଯାଜପୁର ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଜେଡି ପ୍ରାର୍ଥୀ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ପାଇଁ ସମସ୍ୟା ନାହିିଁ କୁହାଯାଉଥିବା ବେଳେ ପର୍ବୂାପେକ୍ଷା ଭୋଟ୍ ବ୍ୟବଧାନ କମିବ ବୋଲି ମତ ପ୍ରକାଶ ପାଉଛି ।

ସେହିପରି ନିର୍ବାଚନମଣ୍ଡଳୀର ଚର୍ଚ୍ଚା ହେଉଛି ସୁକିନ୍ଦାରେ ବିଜେପି-ବିଜେଡି ମଧ୍ୟରେ କଡା ଟକ୍କର ହେବ । ସେଥିପାଇଁ ବିଜେଡିର ପ୍ରିତି ରଞ୍ଜନ ଘଡାଇ ଓ ବିଜେପିର ପ୍ରଦୀପ ବଳ ସାମନ୍ତ (ଟୁଟୁ) କିଏ ଜିତିବ କହିବା ମୁସ୍କିଲ । ହେଲେ ପ୍ରିତିରଞ୍ଜନଙ୍କ ପିତା ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଘଡାଇ ପୁଅ ପାଇଁ ଅଣ୍ଟା ଭିଡିଛନ୍ତି । ତାଙ୍କର ସବୁ ପ୍ରତିକୂଳ ପରିସ୍ଥିତିକୁ ସାମନା କରିବାର ଦକ୍ଷତା ଥିବାରୁ ପ୍ରିତିରଞ୍ଜନଙ୍କ ପାଇଁ ଏହା ଆଶିର୍ବାଦ ହୋଇପାରେ । ବଡଚଣା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ଜନସମର୍ଥନ ବଢୁଛି । ପଛରେ ପଡିିଯାଇଛନ୍ତି ବିଜେଡି ପ୍ରାର୍ଥୀ ବିଧାୟକ ଅମର ଶତପଥୀ । ଲୋକେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିବାରୁ କିଛି ଭୋଟ ହାତଛଡା ହେବାର ସମ୍ଭାବନା ରହିଛି । ଏହାକୁ ଭରଣା କରିବାକୁ ଶ୍ରୀ ଶତପଥୀ କଂଗ୍ରେସ ଭୋଟକୁ ଭରସା କରିଛନ୍ତି । ବୁଝାମଣା ପାଇଁ ଚାଲିଛି ପ୍ରଚେଷ୍ଟା । ଏହାଛଡା କୋରେଇରେ ବିଜେଡି ଅବସ୍ଥା ଭଲ ନୁହେଁ । ଦଳୀୟ ପ୍ରାର୍ଥୀ ଗ୍ରହଣୀୟ ହେଉନାହାନ୍ତି । କର୍ମୀ ବିରୋଧ କରୁଛନ୍ତି । ସହଯୋଗ କରୁନାହାନ୍ତି । ଏହାର ଫାଇଦା ପ୍ରତିପକ୍ଷ ଦଳକୁ ସୁହାଇବ ବୋଲି ମନେହୁଏ । ତେଣୁ କୋରେଇରେ ବିଜେଡି ପ୍ରାର୍ଥୀ ଅଶୋକ ବଳ ଓ କଂଗ୍ରେସର ବନ୍ଦିତା ପରିଡାଙ୍କ ମଧ୍ୟରେ ହେବ ବିଗ୍ ଫାଇଟ୍ । ଯଦି ଏଠାରେ ବିଜେପିର ସ୍ଥିତି ସୁଧୁରିଲା ତାହାଲେ ଅଶୋକଙ୍କ ପରିବର୍ତ୍ତେ ବନ୍ଦିତାଙ୍କର ବିଜେପି ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ସହ ହେବ ମୁକାବିଲା । ଏପରି ବି ଘଟିବାର ଆଶଂକା ମଧ୍ୟ ରହିଛି ।

ଯାଜପୁର ଲୋକସଭା କ୍ଷେତ୍ରର ଅନ୍ୟତମ ନିର୍ବାଚନମଣ୍ଡଳୀ ବରୀ ନିର୍ବାଚନମଣ୍ଡଳୀରେ ପରିସ୍ଥିତି ଭିନ୍ନ । ଏଠାରେ ବିଜେଡିରୁ ସୁନନ୍ଦା ଦାସ, କଂଗ୍ରେସରୁ ଉମେଶ ଜେନା ଓ ବଜେପିରୁ ବିଶ୍ୱ ଋଞ୍ଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି । ଏଠାରେ ବହୁଛି ବିଶ୍ୱଙ୍କ ହାୱା । ସବୁଆଡେ ପରିବର୍ତ୍ତନର ସ୍ୱର । ଯୁବଗୋଷ୍ଠୀ ଖୋଲାଖୋଲି ବିଶ୍ୱଙ୍କ ସପକ୍ଷରେ କହୁଥିବା ବେଳେ ବୟସ୍କମାନେ ମାପିଚୁପି ମତ ରଖୁଛନ୍ତି । ତଥାପି ଅନୁମାନ କରାଯାଉଛି ବିଶ୍ୱଙ୍କ ସହିତ ସୁନନ୍ଦା ମୁକାବିଲା କରିବେ । ଇତି ମଧ୍ୟରେ ସ୍ଥାନୀୟ ବିଜେଡି ନେତା ତଥା ବିଧାୟକ ଦେବୋଶିଷ ନାୟକଙ୍କ ଖାସ୍ ସମର୍ଥକଙ୍କୁ ବିଜେପି ନିଜ ଆଡକୁ ନେବାରେ ସକ୍ଷମ ହୋଇଛି । ଏହାଦ୍ୱାରା ବିଜେପି କିଛି ଭୋଟ ହରାଇବା ସମ୍ଭାବନା ଥିଲେ ମଧ୍ୟ ବହୁ ସଂଖ୍ୟକ ସଂଖ୍ୟାଲଘୁ ଲୋକଙ୍କ ସମର୍ଥନ ହାସଲ କରିବ ବୋଲି କୁହାଯାଉଛି । ବାକି ରହିଲା ବିଞ୍ଝାରପୁର । ଏହି ନିର୍ବାଚନମଣ୍ଡଳୀରେ କେତେକ କହୁଛନ୍ତି ବିଜେଡି-ବିଜେପି ଲଢେଇ ହେବ । କଂଗ୍ରେସ ନେତ୍ରୀ ବବିତା ମଲ୍ଲିକ ଦଳଛାଡି ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ରହିଛନ୍ତି ବିଜେଡି ପ୍ରାର୍ଥୀ ବିଧାୟିକା ପ୍ରମିଳା ମଲ୍ଲିକ । ତେଣୁ ଆଶା କରାଯାଉଛି ଉଭୟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବ । ପ୍ରାର୍ଥୀଙ୍କ ବିଜୟରେ ନିର୍ଣ୍ଣାୟକ ହେବ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଭୋଟ୍ । ଯଦି ସେମାନେ ନିଜ ଦଳର ପ୍ରାର୍ଥୀଙ୍କ ସପକ୍ଷରେ ମତ ନଦେଇ ଏପଟ ସେପଟ କରନ୍ତିି ତାହେଲେ ସମୀକରଣ ବଦଳିବ ବୋଲି କୁହାଯାଇ ପାରେ ।

ଲୋକମତ ଆଧାରରେ ଯାଜପୁର ଜିଲ୍ଲା କଥା ବିବେଚନା କରାଗଲେ ସ୍ପଷ୍ଟ ହେଉଛି ଏଥର ଭୋଟର ସଚେତନ । ସେମାନେ ବିଭିନ୍ନ ଛକ-ବଜାରରେ ହେଉଥିବା ନିର୍ବାଚନ ସଂପର୍କୀତ ଚର୍ଚ୍ଚାରେ ଭାଗନେଇ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ସଂପର୍କରେ ମତାମତ ଦେଉଛନ୍ତି । ଏଭଳି ସ୍ଥିତିରେ କାହାକୁ ପ୍ରତିନିଧି ବାଛିବେ ସେନେଇ ଆଗୁଆ ଆକଳନ କରିବା ଠିକ୍ ହେବନାହିଁ । ତେଣୁ ଆଗାମୀ ମେ ୨୩ ତାରିଖକୁ ଅପେକ୍ଷା କରିବାକୁ ପଡିବ ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *