ରତ୍ନଭଣ୍ଡାର ପ୍ରସଙ୍ଗ : ଗଜପତିଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ଵର : ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲାଯିବା ସହିତ ଅଳଙ୍କାର ଗଣନା ଓ ରତ୍ନଭଣ୍ଡାରର ସୁରକ୍ଷା କରାଯାଉ। ହାଇକୋର୍ଟ ଦେଇଥିବା ରାୟ ଅନୁସାରେ ସରକାର ପଦକ୍ଷେପ ନିଅନ୍ତୁ। ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ରତିନିଧି ଟିମ୍ ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭେଟି ଏଭଳି ଚିନ୍ତା ବ୍ୟକ୍ତ କରିଛନ୍ତି।

ଖବର ଅନୁଯାୟୀ ଶ୍ରୀ ମହାନ୍ତି କହିଛନ୍ତି ଗଜପତି ମହାରାଜା ହେଉଛନ୍ତିି ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜଙ୍କ ସହ ବିସ୍ତୃତ ଆଲୋଚନା କରାଗଲା। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଗଜପତି ମହାରାଜଙ୍କଠାରୁ ରତ୍ନଭଣ୍ଡାର ଖୋଲାଯିବା ଓ ସୁରକ୍ଷା ନେଇ ଜଗନ୍ନାଥପ୍ରେମୀ ବହୁ ଆଶା ରଖିଛନ୍ତିି। ଶ୍ରୀମନ୍ଦିର କମିଟି ଗଠନ କରି ରତ୍ନଭଣ୍ଡାର ଖୋଲିବାକୁ ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଅଗଷ୍ଟ ୪ତାରିଖରେ କମିଟି ଗଠନ ପାଇଁ ରିଜୋଲ୍ୟୁସନ କରାଯାଇଥିଲା ଓ ସେପ୍ଟେମ୍ବର ୨୯ରେ ଶ୍ରୀମନ୍ଦିର କମିଟି ଗଠନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଏବେ ପର୍ଯ୍ୟନ୍ତ କମିଟି ଗଠନ କରାଗଲା ନାହିଁ କି କୌଣସି ପଦକ୍ଷେପ ନେଲେ ନାହିଁ ରାଜ୍ୟ ସରକାର । ରତ୍ନଭଣ୍ଡାରକୁ ନେଇ ଅଗଣିତ ଜଗନ୍ନାଥପ୍ରେମ଼ୀଙ୍କ ମନରେ ଉତ୍କଣ୍ଠା ଓ ସନ୍ଦେହ ବୃଦ୍ଧି ହେଉଥିବାବେଳେ ରାଜ୍ୟ ସରକାରଙ୍କ ହେୟ ମନୋଭାବ ପୁଣି ଥରେ ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ପ୍ରତିନିଧି ଦଳରେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *

Back to top button