ଡିଭୋର୍ସ ପରେ ଧୋକା ଖାଇଲେ ଗଣିତ ଶିକ୍ଷୟିତ୍ରୀ

ଭୁବନେଶ୍ଵର : ସ୍ଵାମୀଙ୍କୁ ଡିଭୋର୍ସ ପରେ ଦୁଷ୍କର୍ମରେ ଶିକାର ହୋଇ ଧୋକା ଖାଇଲେ ଗଣିତ ଶିକ୍ଷୟିତ୍ରୀ। ରାଜଧାନୀ ଭୁବନେଶ୍ୱରେ ଏହି ଘଟଣା ଘଟିଥିବା ବେଳେ ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଭଡ଼ା ଘର ସମ୍ମୁଖରେ ଧାରଣା ଦେଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ପ୍ରଥମ ପ୍ରେମରେ ପାରିବାରିକ ଝଡ଼ ଉଥିବାରୁ ଗଣିତ ଶିକ୍ଷୟିତ୍ରୀ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ପରେ ୬ ବର୍ଷର ଝିଅକୁ ଧରି ଭବିଷ୍ୟତ ଗଢ଼ିବା ପାଇଁ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ। ଏଠାରେ ଏକ ପ୍ରାଇଭେଟ୍‌ ସ୍କୁଲରେ ଗଣିତ ଶିକ୍ଷୟିତ୍ରୀ ଭାବେ ଚାକିରି କଲେ।
ଜିମ୍‌ରେ ତାଙ୍କର ମେଡିସିନ୍‌ ଦୋକାନୀ ବିଭୂତିଙ୍କର ସହ ଦେଖା ହୋଇଥିଲା। ଉଭୟ ହୋଇଯାଇଥିଲେ ବନ୍ଧୁ। ଗତ ଅଗଷ୍ଟ ୯ ତାରିଖରେ ଗଣିତ ଶିକ୍ଷୟିତ୍ରୀଙ୍କୁ ଭୀଷଣ ଜ୍ୱର ହେବାରୁ ସେ ବିଭୂତିଙ୍କୁ ଫୋନ୍‌ କରି ଔଷଧ ଆଣିଦେବାକୁ କହିଥିଲେ।

ରାତି ପ୍ରାୟ ସାଢ଼େ ୧୦ଟା ହେବ। ବିଭୂତି ଔଷଧ ଧରି ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ଝିଅ ଶୋଇପଡିଥିଲା। ଏହାର ସୁଯୋଗ ନେଇ ବିଭୂତି ତାଙ୍କୁ ଦୁଷ୍କର୍ମ କରିଥିଲେ। ବିରୋଧ କରିଥିଲେ ମଧ୍ୟ ବିଭୂତି ଶୁଣିନଥିଲେ ବୋଲି ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଭାଙ୍ଗିପଡ଼ି ଶିକ୍ଷୟିତ୍ରୀ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ଖବର ପାଇ ବିଭୂତି ଆସି ସେଦିନର ଭୁଲ୍ ପାଇଁ କ୍ଷମା ମାଗିଥିଲେ। କ୍ଷମା ନକଲେ ଆତ୍ମହତ୍ୟା କରିବେ ବୋଲି କହିଥିଲେ। ଆଉ କୋର୍ଟ ମ୍ୟାରେଜ କରିବେ ବୋଲି ବିଭୂତି ପ୍ରତିଶ୍ରୁତି ଦେବାରୁ ଉଭୟଙ୍କ ଭିତରେ ବିବାଦ ସମାଧାନ ହୋଇଥିଲା। ଏହା ପରେ ବିଭୂତି ନିୟମିତ ଘରକୁ ଯିବା ଆସିବା କଲେ। ବାହା ହେବା ପାଇଁ କଥା ଦେଇଥିବାରୁ ଅଗଷ୍ଟ ଓ ସେପ୍ଟେମ୍ୱର ମାସ ଭିତରେ ଉଭୟଙ୍କ ଭିତରେ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା।

ବିଭୂତିଙ୍କ ବାପାଙ୍କ ଅପରେଶନ୍‌ ପାଇଁ ଟଙ୍କା ଆବଶ୍ୟକ ଥିବାରୁ ଶିକ୍ଷୟିତ୍ରୀ ଗହଣା ବିକ୍ରି କରିବା ସହିତ ଧାରଉଧାର କରି ଟଙ୍କା ଦେଇଥିଲେ। ହେଲେ ସେହ ଟଙ୍କା ଫେରାଇ ନଥିଲେ। ଏବେ ବାହା ହେବାକୁ ମନା କରିବା ସହିତ ଧମକଚମକ ଦେଉଥିବା ଅଭିଯୋଗ ହୋଇଛି। ସବୁଆଡୁ ନିରାଶ ହେବା ପରେ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ବିଭୂତି ରହୁଥିବା ସତ୍ୟ ବିହାର ଅଞ୍ଚଳର ଭଡ଼ାଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେନି ବୋଲି ପୀଡ଼ିତା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button