ରାଜ୍ୟରେ ଆଉ ୩ଟି ନିର୍ଦ୍ଦେଶାଳୟକୁ କ୍ୟାବିନେଟ୍ ମଞ୍ଜୁରୀ, ସଂଶୋଧନ ହେବ ଭୂସଂସ୍କାର ଆଇନ

ଭୁବନେଶ୍ଵର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ସ୍ୱତନ୍ତ୍ର ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ, ଗ୍ରନ୍ଥାଗାର ନିର୍ଦ୍ଦେଶାଳୟ ଓ ସ୍ୱତନ୍ତ୍ର ସଂଗ୍ରହାଳୟ ନିର୍ଦ୍ଦେଶାଳୟ ଗଠନ କରାଯିବ। ଏଥିସହ ଓଡ଼ିଶା ଭୂ-ସଂସ୍କାର ଆଇନ ୧୯୬୦ର ଧାରା-୪ରେ ଆବଶ୍ୟକୀୟ ଉପଧାରା ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ଦେଇଛି। କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଅନୁଗୋଳ ଓ ଗଞ୍ଜାମର ପ୍ରାୟ ୨.୪୬ଲକ୍ଷ ଲୋକେ ଉପକୃତ ହେବେ। ଏଥି ସହିତ ମୋଟ ୧୬ଟି ପ୍ରସ୍ତାବ ଉପରେ ଲାଗିଛି କ୍ୟାବିନେଟ୍ ମୋହର।

ଖବର ଅନୁଯାୟୀ ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୋଟ ୧୬ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି। ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନା ସୂଚନା ଦେଇଥିଲେ। ସେ କହିଲେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ସଂଗ୍ରହାଳୟଗୁଡ଼ିକର ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ରହିଛି। ତେଣୁ ଅନୁରୂପ ଢଙ୍ଗରେ ଓଡ଼ିଶାରେ ବିଭିନ୍ନ ସମୟରେ ଆବିଷ୍କୃତ ସମୃଦ୍ଧ ଐତିହାସିକ, ସାଂସ୍କୃତିକ, କଳା କୀର୍ତ୍ତିରାଜିଗୁଡ଼ିକର ସଂରକ୍ଷଣ ଓ ଗବେଷଣା,ପ୍ରଚାର ନିମିତ୍ତ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ ଗଠନ କରାଯିବ। କ୍ୟାବିନେଟ୍ ଏହାକୁ ମଞ୍ଜୁରୀ ଦେଇଥିବା ବେଳେ ନିର୍ଦ୍ଦେଶାଳୟ ପାଇଁ ଆବଶ୍ୟକ ଅମଲା ଓ ବୈଷୟିକ ପଦବୀ ସୃଷ୍ଟିକୁ ଅନୁମୋଦନ ମିଳିଛି। ମଞ୍ଜୁରୀ ଦେଇଛନ୍ତି। ସଂଗ୍ରହାଳୟ ସେବା ବର୍ଗ ସୃଷ୍ଟି ହେବ। ସେଥିରେ ରହିବ ସହକାରୀ ସଂଗ୍ରାହକ, ସଂଗ୍ରାହକ, ସହ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକ, ଯୁଗ୍ମ ନିର୍ଦ୍ଦେଶକ ତଥା ଅଧିକ୍ଷକ ଓ ରାଜ୍ୟ ସଂଗ୍ରହାଳୟ ନିର୍ଦ୍ଦେଶକ ପଦବୀ।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ଓଡ଼ିଶା ଭୂସଂସ୍କାର ଆଇନ-୧୯୬୦ ଅନୁସାରେ ସିକିମ ଜମିରେ ରୟତି ଘୋଷଣା ନିମନ୍ତେ ଆବେଦନ କରିବାର ଶେଷ ଅବଧି ୧୯୭୭ ମସିହା ପର୍ଯ୍ୟନ୍ତ ଥିଲା। ଏହି ଅବଧି ମଧ୍ୟରେ ସମସ୍ତ ସିକିମ ଚାଷୀ ଆବେଦନ କରିପାରିନଥିଲେ। ଚିଠା ବିଲରେ ସିକିମ ଜମିକୁ ଚାଷ ଓ ବାସଗୃହ ଭାବେ ବ୍ୟବହାର କରୁଥିଲେ। ରୟତି ଅଧିକାର ପାଇବା ପାଇଁ ଏହି ସଂଶୋଧନ ଆଇନର ବିଜ୍ଞପ୍ତି ପ୍ରକାଶ ପାଇବାର ୨ବର୍ଷ ମଧ୍ୟରେ ରାଜସ୍ୱ ଅଧିକାରୀଙ୍କ ନିକଟରେ ସମ୍ପୃକ୍ତ ଚାଷୀମାନେ ଆବେଦନ କରିପାରିବେ। ଆବଶ୍ୟକତା ଅନୁସାରେ ସରକାର ଏହି ସମୟସୀମାକୁ ମଧ୍ୟ ବୃଦ୍ଧି କରିପାରିବେ।

ସେହିପରି କ୍ୟାବିନେଟର ନିଷ୍ପତ୍ତି ଅନୁସାରେ କଟକ ଜିଲ୍ଲା ଟାଙ୍ଗ-ଚୌଦ୍ୱାର ତହସିଲ ଅନ୍ତର୍ଗତ ଚାରିବାଟିଆଠାରେ ୧୯୬୧ ମସିହାରେ ନିର୍ମିତ ଲେବର ଟୁର୍ଣ୍ଣାମେଂଟର ଜମିକୁ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ ଲିଜ୍ ପ୍ରଦାନ କରାଯିବ। ପ୍ରତ୍ୟେକଙ୍କୁ ମିଳିବ ସର୍ବାଧିକ ୦.୦୦୪ ଅର୍ଥାତ୍ ୧୭୪୨ ବର୍ଗଫୁଟ ଜମି। ଯେଉଁମାନେ ଏହି ପରିମାଣଠୁ ଅଧିକ ଜମି ଦଖଲରେ ରଖିଥିବେ ସରକାର ନିଜ ଦଖଲକୁ ଆଣିବେ। ଲେବର ଟୁର୍ଣ୍ଣାମେଂଟର ୨୨୮ଟି ମଧ୍ୟରୁ ୧୧୬ଜଣ ଯୋଗ୍ୟ ବିବେଚିତ ଆବଂଟନ ଗ୍ରହୀତାଙ୍କ ସପକ୍ଷରେ ୪.୬୪ ଏକର ଜମିକୁ ୯୯ବର୍ଷ ଲିଜରେ ପ୍ରଦାନ କରାଯିବ।

ଏହାଛଡା ୫୫ଟି ବ୍ଲକସ୍ତରୀୟ ବସଷ୍ଟାଣ୍ଡ ନିର୍ମାଣ, ନବୀକରଣ, ରକ୍ଷଣାବେକ୍ଷଣ ଓ ଆଠଗଡ଼, ବଲାଙ୍ଗୀର ଓ ଜୟପୁର ମୋଟୁ ବସଷ୍ଟାଣ୍ଡର ରକ୍ଷଣାବେକ୍ଷଣ ଯୋଜନା ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ୨୦୨୨-୨୩ରୁ ୨୦୨୫-୨୬ ପର୍ଯ୍ୟନ୍ତ ମୋଟ ୩୭୩.୧୩କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ଏବେସୁଦ୍ଧା ୨୭ଟି ନୂଆ ବସଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିସାରିଛନ୍ତି।

ସେହିପରି ରାଜ୍ୟରେ ସାର ସଂଗ୍ରହ ଓ ଆଗୁଆ ମହଜୁଦ ନିମନ୍ତେ କର୍ପସ ପାଣ୍ଠିର ପରିମାଣକୁ ୨୦୨୪-୨୫ ଆର୍ଥିକ ବର୍ଷରୁ ଓଡ଼ିଶା ରାଜ୍ୟ ସମବାୟ ବିପଣନ ମହାସଂଘକୁ ଦିଆଯାଉଥିବା ୯୦କୋଟି ଟଙ୍କା ପରିବର୍ତ୍ତେ ୧୫୦କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। ଓଡ଼ିଶା କୃଷି ଶିଳ୍ପ ନିଗମ ପାଇଁ ଥିବା କର୍ପସ ପାଣ୍ଠି ବ୍ୟବସ୍ଥାକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି।

Leave a Reply

Your email address will not be published. Required fields are marked *

Back to top button