ବଡ ଘୋଷଣା : ବେକାରୀଙ୍କୁ ମିଳିବ ମାସିକ ୫ ହଜାର ଟଙ୍କା ଭତ୍ତା

ନୂଆଦିଲ୍ଲୀ : ନିର୍ବାଚନ ପାଇଁ ଏବେ ଫୁଲ ଫର୍ମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ । ଆସନ୍ତା ବର୍ଷ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି କ୍ରମରେ ଏବେ ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ମିଳୁଛି । ରବିବାର ଉତ୍ତରାଖଣ୍ଡର ହଲଦ୍ବାନୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେଜରିଓ୍ବାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡ​‌ରେ ଆମ୍‌ ଆଦମୀ ସରକାର ଆସେ ତେବେ ବେକାରୀଙ୍କୁ ରୋଜଗାର ଦିଆଯିବ । ଯେ ପର୍ଯ୍ୟନ୍ତ ବେରୋଜଗାରୀଙ୍କୁ ରୋଜଗାର ନମିଳିଛି ସେ ପର୍ଯ୍ୟନ୍ତ ପରିବାରର ଜଣେ ଯୁବକଙ୍କୁ ୫ ହଜାର ଟଙ୍କାର ମାସିକ ଭତ୍ତା ଦେବ ଆପ୍‌ ।’

ଉତ୍ତରାଖଣ୍ଡରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏବେ ଠାରୁ ରାଜ୍ୟରେ ପତିଆରା ବଢାଇବାରେ ଲାଗିଲାଣି ଅରବିନ୍ଦ ଜେରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି । ଖୋଦ୍‌ କେଜରିଓ୍ବାଲ ଉତ୍ତରାଖଣ୍ଡ ଗସ୍ତରେ ଆସି ରାଜ୍ୟବାସୀଙ୍କ ପାଇଁ ପ୍ରତିଶ୍ରୁତି ଅଜାଡି ଦେଇଛନ୍ତି ।

କେଜରିୱାଲ କହିଛନ୍ତି, ‘ଯଦି ଉତ୍ତରାଖଣ୍ଡରେ ଆମ ସରକାର ଗଠନ ହୁଏ, ତେବେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ ଦିଆଯିବ ଏବଂ ପୁରୁଣା ବିଦ୍ୟୁତ ବିଲ ଛାଡ଼ କରାଯିବ । ଏହା ସହିତ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗଇ ଦିଆଯିବ । ମୁଁ ଯାହା କୁହେ ତାହା କରେ । ଆମ ସରକାର ପ୍ରତିଶ୍ରୁତି ଦେଉଛି ମାନେ କରିକି ଦେଖାଇବୁ । ଏଥିସହ ଯଦି ଆମ ସରକାର ଗଠନ ହୁଏ ତେବେ ଉତ୍ତରାଖଣ୍ଡର ସମସ୍ତ ବେକାରୀଙ୍କୁ ରୋଜଗାର ଦିଆଯିବ। ଯେପର୍ଯ୍ୟନ୍ତ ବେକାରୀମାନେ ବ୍ୟକ୍ତି ଚାକିରୀ ନପାଇବେ ସେ ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରର ଜଣେ ଯୁବକଙ୍କୁ ମାସକୁ ୫୦୦୦ ଟଙ୍କା ଲେଖାଏଁ ବେକାରୀ ଭତ୍ତା ଆକାରରେ ମିଳିବ । ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ୮୦ପ୍ରତିଶତ ଚାକିରୀ ଉତ୍ତରାଖଣ୍ଡର ପିଲାମାନଙ୍କ ପାଇଁ ସଂରକ୍ଷିତ ରହିବ।

କେଜୁ ଆହୁରି ମଧ୍ୟ କହିଛନ୍ତି, ‘ଆମେ ଦିଲ୍ଲୀରେ ଏକ ଜବ୍‌ ପୋର୍ଟାଲ ତିଆରି କରିଥିଲୁ, ଉତ୍ତରାଖଣ୍ଡରେ ମଧ୍ୟ ସେହିଭଳି ଚାକିରି ପୋର୍ଟାଲ ତିଆରି ହେବ । ରୋଜଗାର ଏବଂ ସ୍ଥାନାନ୍ତରଣ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ଗଠନ କରାଯିବ ଏବଂ ଏହାର ମୁଖ୍ୟ କାମ ହେବ ରୋଜଗାର ସୃଷ୍ଟି କରିବା । ଉତ୍ତରାଖଣ୍ଡର ଯୁବକମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାରୁ ନିବୃତ୍ତ କରିବା ଏବଂ ଯେଉଁମାନେ ଯାଉଛନ୍ତି ସେମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ ।

Leave a Reply

Your email address will not be published. Required fields are marked *

Back to top button