ସାଂସଦ ପିନାକୀ ମିଶ୍ରଙ୍କ ବହିଷ୍କାର ଦାବି କଲା ବିଜେପି

ଭୁବନେଶ୍ଵର : ତ୍ରୁଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରଙ୍କ ବିରୁଦ୍ଧରେ ‘ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା’ ଅଭଯୋଗ ଉଠିଥିଲା। ଏହି ମାମଲାରେ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କୁ ବିଜେପି ଟାର୍ଗେଟ୍ କରି ତାଙ୍କ ବହିଷ୍କାର ଦାବି କରିଛି। ଏଥିସହ ପିନାକୀଙ୍କ ଜରିଆରେ ହୋଇଥିବା ହାୱାଲା କାରବାରର ତଦନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରାନ୍ତୁ ବୋଲି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଦାବି କରିଛନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଶ୍ରୀ ମହାପାତ୍ର କହିଛନ୍ତି ମହୁଆ ମୋଇତ୍ର କିଛି ନିର୍ଦ୍ଦିଷ୍ଟ କମ୍ପାନୀମାନଙ୍କ ସ୍ୱାର୍ଥରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ବ୍ୟାପକ ଅର୍ଥ ନେଇଛନ୍ତି। ଶିଳ୍ପପତି ଦର୍ଶନ ହୀରାନନ୍ଦାନୀ ଓ ଆଡଭୋକେଟ୍ ଜୟଅନନ୍ତ ଦୋହାଦ୍ରୀ ଦେଇଥିବା ଦୁଇଟି ଭିନ୍ନ ସତ୍ୟପାଠରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଆଡଭୋକେଟ୍ ଜୟଅନନ୍ତ ସିବିଆଇ ଅଦାଲତରେ ଓ ଦର୍ଶନ ହୀରାନନ୍ଦାନୀ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ କରିଥିବା ସତ୍ୟପାଠରେ ଓଡ଼ିଶାର ସାଂସଦ ପିନାକି ମିଶ୍ରଙ୍କ ସଂପୃକ୍ତି ଉଲ୍ଲେଖ କରିଛନ୍ତି। ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ସାଂସଦ ମହୁଆଙ୍କ ପିନାକୀଙ୍କର ଘନିଷ୍ଠ ସଂପର୍କ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି।

ସେ କହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଧାମ ପୁରୀକୁ ପ୍ରତିନିଧିତ୍ୱ କରୁଥିବା ସାଂସଦ ଶ୍ରୀ ମିଶ୍ରଙ୍କ ଜରିଆରେ ନଗଦ ୨କୋଟି ଟଙ୍କା ହାୱାଲା ମାଧ୍ୟମରେ କାରବାର ହୋଇଛି। ପ୍ରଶ୍ନ ପଚାରିବା ପାଇଁ ମହୁଆ ନେଇଥିବା ଏହି ଟଙ୍କାକୁ ସୁରକ୍ଷିତ ରଖିବାର ଦାୟିତ୍ୱ ପିନାକୀ ନେଇଥିଲେ। ପିନାକୀଙ୍କର କମ୍ପାନୀମାନଙ୍କ ସହ ଦଲାଲୀ କରିବାର ରେକର୍ଡ ରହିଛି। ହୀରାନନ୍ଦାନୀ ଓ ଜୟଅନନ୍ତ ଦାଖଲ କରିଥିବା ସତ୍ୟପାଠରେ ପିନାକୀଙ୍କ ନାଁ ଉଲ୍ଲେଖ ରହିବା ଘଟଣା ଓଡ଼ିଶାକୁ ଜାତୀୟସ୍ତରରେ ନିନ୍ଦିତ କରୁଛି। ଏପରି କରି ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ନିଶ୍ଚିତ ଭାବେ ଜନବିରୋଧୀ କାର୍ଯ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରବ ନରହି ପିନାକୀଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ସେ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ଓ ମିଡିଆ ସେଲ୍ ସହପ୍ରଭାରୀ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button