ଦୁଆରଶୁଣି ଘାଟିରେ ଦୁର୍ଘଟଣା : ୨ ମହିଳା ମୃତ, ୫ ଗୁରୁତର

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଟ୍ରକ୍‌ ଧକ୍କାରେ ଇନୋଭା କାର୍‌ ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ଦୁଇ ମହିଳା ସମୀପର୍ଣ୍ଣା ଚକ୍ରବର୍ତ୍ତୀ ଓ ନବନୀତା ଚକ୍ରବର୍ତ୍ତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ଖବର ଅନୁଯାୟୀ ଶନିବାର ପଶ୍ଚିମବଙ୍ଗ ଖଡ଼ଗପୁରର ଏକ ପରିବାର ମା’ ଦୁଆରଶୁଣିଙ୍କ ଦର୍ଶନ ପାଇଁ ଏକ ଇନୋଭା କାର୍‌ରେ ଆସିଥିଲେ। ଡ୍ରାଇଭରଙ୍କ ସମେତ କାର୍‌ରେ ଥିଲେ ୭ ଜଣ। ସେମାନେ ମା’ଙ୍କ ଦର୍ଶନ ସାରି ଅପରାହ୍ଣରେ ଘରକୁ ଫେରୁଥିଲେ। ଘାଟି ରାସ୍ତାରେ ଏକ ଟ୍ରକ ବ୍ରେକ ଫେଲ୍‌ ହୋଇ ଅଟକିଥିଲା। ତେଣୁ କାର୍‌ଟି ଧୀରେଧୀରେ ଘାଟି ତଳକୁ ଓହ୍ଲାଉଥିବା ବେଳେ ପଛରୁ ଆସୁଥିବା ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଇନୋଭା କାର ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ସୂଚନା ପାଇ ବାଙ୍ଗିରିପୋଷି ପୋଲିସ ସ୍ଥାନୀୟ ଲୋକଙ୍କ ସହଯୋଗରେ ମୃତାହତଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରୁ ସମସ୍ତଙ୍କୁ ବାରିପଦା ପିଆର୍‌ଏମ୍ ମେଡିକାଲ କଲେଜ ହାସ୍‌ପାତାଳକୁ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button