ଓଡ଼ିଶା ପ୍ରତି ବାତ୍ୟା ବିପଦ ନାହିଁ

ଭୁବନେଶ୍ଵର : ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟାର ରୂପ ନେଇଛି। ଏହାର ନାଁ ରହିଛି ‘ହାମୁନ’। ଇରାନ ପକ୍ଷରୁ ଏପରି ନାମକରଣ କରାଯାଇଛି। ଏହା ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି କରୁଥିବା ବେଳେ ସଂଧ୍ୟା ସୁଦ୍ଧା ପାରାଦୀପଠାରୁ ୧୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଦିଗରେ ଥିବା କହିଛି ଭାରତୀୟ ପାଣିପାଗ ବିଭାଗ।

ଖବର ଅନୁଯାୟୀ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଏହି ବାତ୍ୟା ଏବେ ଓଡ଼ିଶା ଉପକୂଳଠାରୁ ସମୁଦ୍ର ମଧ୍ୟରେ ସମାନ୍ତରାଳ ଭାବେ ଗତି କରୁଛି। ଏହା ଉତ୍ତର-ପୂର୍ବଦିଗରେ ଗତିକରି ୨୫ ତାରିଖ ସୁଦ୍ଧା ବାଂଲାଦେଶର ଚିଟାଗଙ୍ଗ ଓ ଖେପୁପାରା ଉପକୂଳରେ ସ୍ଥଳଭାଗ ଛୁଇଁବ। ଏହି ସାମୁଦ୍ରିକ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇ ଏକ ଡିପ୍ ଡିପ୍ରେସନ ବା ଗଭୀର ଅବପାତରେ ପରିଣତ ହୋଇସାରିଥିବ ବୋଲି ସ୍କାଏମେଟ୍ କହିଛି।

ଯେହେତୁ ବାତ୍ୟା ଭାରତୀୟ ଉପକୂଳ ସହ ସମାନ୍ତରାଳ ଗତିରେ ସମୁଦ୍ରରେ ଗତି କରୁଛି ସେଥିପାଇଁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସେହିପରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ମଧ୍ୟ ବର୍ଷା ହେବ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button