ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବ୍ୟବହାର ଲାଗି ମାଗଣା ପାସ୍ ବ୍ୟବସ୍ଥା ଶେଷ ହୋଇଛି : ଆଇଟି ମନ୍ତ୍ରୀ

ନୂଆଦିଲ୍ଲୀ : ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଗୁଡ଼ିକର ବ୍ୟବହାର ଲାଗି ମାଗଣା ପାସ୍ ବ୍ୟବସ୍ଥା ପ୍ରାୟତଃ ଶେଷ ହୋଇଛି। ଏଣିକି ସମଗ୍ର ବିଶ୍ଵରେ କଠୋର ଉତ୍ତରଦାୟିତ୍ୱ ଲାଗୁ ହେବ। କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

ଖବର ଅନୁଯାୟୀ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି ଆମେରିକାରେ ମେଟା ବିରୋଧରେ ୪୦ରୁ ଅଧିକ ରାଜ୍ୟ ମାମଲା କରିଛନ୍ତି। ଯୁବ ଉପଭୋକ୍ତାଙ୍କୁ ଶୋଷଣ କରୁଥିବା ଅଭିଯୋଗରେମେଟା ବିରୋଧରେ ଆମେରିକାର ଫେଡେରାଲ୍ କୋର୍ଟରେ ମକଦ୍ଦମାରେ ହୋଇଛି। ମେଟା ଏପରି ଏକ ବ୍ୟବସାୟ ମଡେଲ୍ ବ୍ୟବହାର କରୁଛି ଯାହା ଯୁବପିଢ଼ିର ଉପଭୋକ୍ତାଙ୍କୁ ମାତ୍ରାଧିକ ସମୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିତାଇବାକୁ ଉସକାଉଛି। ଯାହା ଫଳରେ ସେମାନଙ୍କ ମାନସିକ ସ୍ଵାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି।

ଅନୁସନ୍ଧାନରୁ ଜଣାପଡିଛି ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ଯୁବକମାନଙ୍କ ଭିତରେ ଉଦାସୀନତା, ଚିନ୍ତାଗ୍ରସ୍ତତା ଓ ନିଦ୍ରାହୀନତା ଆଦି ନକାରାତ୍ମକ ଅଭ୍ୟାସ ସୃଷ୍ଟି କରିବା ସହିତ ଦୈନନ୍ଦିନ ଜୀବନରେ ଶିକ୍ଷାଗ୍ରହଣ ଉପରେ ବାଧା ସୃଷ୍ଟି କରୁଛି। ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି ବିଶ୍ଵ ଏହି ପ୍ଲାଟଫର୍ମ ଗୁଡିକର ବ୍ୟବହାରକୁ ମାଗଣା ରଖିଛି। ତେଣୁ ବର୍ତ୍ତମାନ ନକାରାତ୍ମକ ଦିଗ ପ୍ରତି ଆମର ଆଖି ଖୋଲିବାର ସମୟ ଆସିଛି।

ସେ କହିଛନ୍ତି ପ୍ଲାଟଫର୍ମ ଗୁଡିକ ଅଧିକ ଉତ୍ତରଦାୟୀ ହେବା ଆବଶ୍ୟକ। କେଉଁ ବିଷୟବସ୍ତୁ ଲେଖିବାକୁ କାହାକୁ ଅନୁମତି ଦିଆଯାଇଛି ତାହାର ତର୍ଜମା ହେବା ଉଚିତ। ମୁଁ ଭାବୁଛି ଏହି ମାଗଣା ବ୍ୟବହାର ଓ କୋହଳର ସମୟ ସମାପ୍ତ ହୋଇଛି। ଏହା ମଧ୍ୟ ଆମ ସରକାରଙ୍କ ଉଦ୍ଦେଶ୍ୟ। ବାସ୍ତବତା ହେଲା ଏହି ପ୍ଲାଟଫର୍ମଗୁଡ଼ିକର ବାଧାହୀନ ବ୍ୟବହାର ଯୋଗୁ କ୍ଷତି ଘଟିବା ସହ ଅପରାଧ ସଂଘଠିତ ହେଉଛି। ସେ ଦୃଷ୍ଟିରୁ ଆମେ ଆଶା କରୁଛୁ ସମସ୍ତ ପ୍ଲାଟଫର୍ମ ନିୟମ ପାଳନ କରିବେ। ସେମାନଙ୍କୁ ଆଇଟି ନିୟମ ଅନୁଯାୟୀ ବିଜ୍ଞପ୍ତି ପଠାଯିବ। ଯଦି ଏହାର ଉତ୍ତର ନ ଦିଅନ୍ତି ତେବେ ଆଇନ ଅନୁଯାୟୀ ପରିଣାମ ଆସିବ। ଶୂନ-ସହନଶୀଳତା ନୀତି ଅବଲମ୍ବନ କରାଯିବ।

ସେହିପରି ହୁଇସିଲ୍ ବ୍ଲୋୟର୍ ଫ୍ରାନ୍ସିସ୍ ହାଗେନ୍ ମେଟା ପରିଚାଳିତ ଫେସବୁକର ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟ ଲିକ୍ କରିବା ପରେ ମେଟା ଆମେରିକାର ଅନୁସନ୍ଧାନକାରୀଙ୍କ ନଜରକୁ ଆସିଛି। ​​ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାରକାରୀଙ୍କ ସୁରକ୍ଷା ଅପେକ୍ଷା ଲାଭକୁ ଅଧିକ ଗୁରୁତ୍ଵ ଦେଇଥିବାରୁ ସମାଲୋଚନାର ଶିକାର ହୋଇଛି। ହାଗେନ୍ ଅଭିଯୋଗ କରିଛନ୍ତି ଫେସବୁକ୍ ବିଷାକ୍ତ ବିଷୟବସ୍ତୁକୁ ହ୍ରାସ କରିବାରେ ବିଫଳ ହୋଇଛି। ଏହା ଆଭିମୁଖ୍ୟ ପରିବର୍ତ୍ତନ କରିବ ବୋଲି ବିଶ୍ୱାସ କରାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button