ଅସୁସ୍ଥ ବାପାଙ୍କୁ ଝିଅ ଟ୍ରଲିରେ ବୋହିଲେ ୩୫ କିମି

ଭଦ୍ରକ : ଅସୁସ୍ଥ ବାପାଙ୍କୁ ଟ୍ରଲିରେ ୩୫ କିମି ବୋହିଲେ ଝିଅ ସୁଜାତା ସେଠୀ। ସାହି ପଡ଼ିଶାର କେହି ସହାୟତା ନକରିବାରୁ ସେ ଏପରି କରିବାକୁ ବାଧ୍ୟ ହୋଇଛି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ ଭଦ୍ରକ ଜିଲା ଧୁଷୁରୀ ଥାନା ନଦୀଗାଁର ଶମ୍ଭୁନାଥ ସେଠୀ ଜଣେ ଟ୍ରଲି ଚାଳକ। ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ଜମିବାଡ଼ିକୁ ନେଇ କିଛି ଅସାମାଜିକ ବ୍ୟକ୍ତି ତାଙ୍କ ଉପରେ ଗତ ୨୨ ତାରିଖ ଦିନ ଆକ୍ରମଣ କରିଥିଲେ। ଶମ୍ଭୁନାଥ ସେଠୀଙ୍କ ହାତ ଭାଙ୍ଗି ଯିବାରୁ ସେ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ। ବାପାଙ୍କ ଅବସ୍ଥାକୁ ଦେଖି ଦଶମ ଶ୍ରେଣୀରେ ପଢୁଥିବା ଝିଅ ସୁଜାତା ସାହି ପଡ଼ିଶାଙ୍କୁ ଆମ୍ୱୁଲାନ୍ସକୁ ଫୋନ୍‌ସହାୟତା କରିବାକୁ ନେହୁରା ହୋଇଥିଲେ। ହେଲେ କେହି ନଶୁଣିବାରୁ ବାପାଙ୍କୁ ଟ୍ରଲିରେ ଶୁଆଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଲେ।

୨୩ ତାରିଖ ଦିନ ସୁଜାତା ଧାମନଗରରୁ ବାପାଙ୍କୁ ଟ୍ରଲିରେ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଚିକିତ୍ସା ପାଇଁ ଡାକ୍ତରଙ୍କୁ କାକୁତି ମିନତି ହେବାରୁ ସେ ଚିକିତ୍ସା କରିଥିଲେ। କିନ୍ତୁ ଅସ୍ତ୍ରୋପଚାର ନକରି ୭ ଦିନ ପରେ ହେବ ବୋଲି କହି ଡିସଚାର୍ଜ କରିଦେଲେ। ସୁଜାତା ଆଜି ବାପାଙ୍କୁ ଟ୍ରଲିରେ ଧରି ଘରକୁ ଫେରୁଥିଲେ। ରାସ୍ତାରେ କିଛି ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଅଟକାଇ ପଚାରିବାରୁ ସୁଜାତା ସମସ୍ତ କଥା କହିଥିଲେ। ପରେ ସେଠାରେ ପହଞ୍ଚିଥିଲେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବାପ-ଝିଅଙ୍କଠାରୁ ସବୁ ଶୁଣିବା ପରେ ବିଧାୟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଫୋନ୍‌ କରିବାରୁ ସେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବିଧାୟକଙ୍କ ତାଗିଦ୍‌ ପରେ ଶମ୍ଭୁଙ୍କୁ ପୁଣି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆସନ୍ତା ଶନିବାର ତାଙ୍କର ଅସ୍ତ୍ରୋପଚାର କରାଯିବ। ସବୁ ପ୍ରକାର ସହାୟତା ଦିଆଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button