ମାଲକାନଗିରି : ମରୁଡି ଘୋଷଣା ଦାବିରେ ପଡିଆ ବ୍ଲକ ଘେରିଲା ବିଜେପି

ଭୁବନେଶ୍ୱର : ଚାଷ ଜମିକୁ ପାଣି ଦିଅ ନଚେତ ମାଲକାନଗିରି ଜିଲ୍ଲାକୁ ମରୁଡି ଘୋଷଣା କର। ଏହି ଦାବିରେ ଆଜି ଭାରତୀୟ ଜନତା ପାର୍ଟି ପଡିଆ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ଚାଷୀଙ୍କୁ କ୍ଷତିପୂରଣ ଦାବି କରିଛି।

ଖବର ଅନୁଯାୟୀ ମାଲକାନଗିରିରେ ଚଳିତବର୍ଷ ବର୍ଷା ନଥିବାରୁ ଜମିରେ ପାଣି ନାହିଁ। ଚାଷୀ ହନ୍ତସନ୍ତ ହେଉଛନ୍ତି। ବିଜେପି ଆଜି ବ୍ଲକ ଘେରାଉ କରି ଜିଲ୍ଲାର ଚାଷୀମାନଙ୍କ ପାଇଁ କେନାଲ ନିର୍ମାଣ କରାଯାଉ ବୋଲି ଦାବି କରିଛି। ଏହାଛଡା ପଡିଆ ବ୍ଲକର ଚାଷ ଜମିକୁ ପାଣି ନଯୋଗାଇଲେ ଜିଲ୍ଲାକୁ ମରୁଡି ଘୋଷଣା କରାଯିବା ସହ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାକୁ ଦାବି ହୋଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆବାସ ଯୋଜନା ଘର ଫଳକମାନଙ୍କରେ ବିଜୁ ପକ୍କାଘର ଯୋଜନାର ଲୋଗ ଅଙ୍କନ କରାଯାଉଛି। ଏହାକୁ ଯଥାଶୀଘ୍ର ବାଦ କରାଯାଉ। ପଡିଆ ବ୍ଲକର ସର୍ବସାଧାରଣଙ୍କ ପାଇଁ ଆସୁଥିବା କୋଟି କୋଟି ଅର୍ଥକୁ ବିନା ପଲ୍ଲିସଭା ଓ ଗ୍ରାମସଭା ଅନୁମତିରେ ମନଇଛା ଖର୍ଚ୍ଚ କରାଯାଉଛି। ସେହିପରି ବ୍ଲକ କାର୍ଯ୍ୟାଳୟ ଦ୍ୱାରା ଆରଟିଜିଏସ ମାଧ୍ୟମରେ ଗୋଟିଏ ସର୍ବସାଧାରଣ ସଂସ୍ଥାର ବ୍ୟାଙ୍କ ଜମାଖାତାକୁ ଲକ୍ଷ ଲକ୍ଷ ଟଙ୍କା ଭ୍ରଷ୍ଟାଚାର କରି ଟଙ୍କା ଟ୍ରାନ୍ସଫର କରାଯାଇଛି। ତୁରନ୍ତ ଏହାର ସିବିଆଇ ତଦନ୍ତ କରାଯାଉ ବୋଲି ବିଜେପି ଦାବି କରିଛି।

ଏହି ଅବସରରେ ମାଲକାନଗିରି ଜିଲ୍ଲା ସଭାପତି ନିମାଇଁ ପାଲ, ପୂର୍ବତନ ଜିଲ୍ଲା ସଭାପତି ଗୁରୁ ଚରଣ ମହାନ୍ତି, ପଡିଆ ମଣ୍ଡଳ ସଭାପତି ପି.ଭେଙ୍କେଟେଶ୍ୱର ରାଓ, ବିଧାୟକ ପ୍ରତିନିଧି କେ ବାଲେୟା, ନିହାର ରାଏ, ରତ୍ନାକର ପାଣିଗ୍ରାହୀ, ବଜା ମାଡକାମୀ, ନରସିଂହ ମାଡକାମୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button