ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ : ମହିଳା ଭୋଟରଙ୍କ ହାର ବଢ଼ିଛି

ଭୁବନେଶ୍ଵର : ୨୦୨୪ ନିର୍ବାଚନ ପୂର୍ବରୁ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ଭୋଟରମାନେ ଡିସେମ୍ବର ୯ ତାରିଖ ଯାଏ ଏଥିପାଇଁ ଆବେଦନ କରିପାରିବେ। ୨୦୨୪ ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କ ବୟସ ୧୮ବର୍ଷ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇପାରିବ। ଉଭୟ ଅଫ୍‌ଲାଇନ ଓ ଅନଲାଇନରେ ଲୋକମାନେ ଆବେଦନ କରିପାରିବେ। ଏଥିପାଇଁ ସବୁ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ୍, ତହସିଲ ଓ ବୁଥ୍‌ସ୍ତରୀୟ ଅଧିକାରୀଙ୍କୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି।

ଖବର ଅନୁଯାୟୀ ଗଣମାଧ୍ୟମକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ୨୦୨୪ ଜାନୁଆରି ୫ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ସେ କହିଲେ ୨୦୨୩ ଜାନୁଆରି ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁସାରେ ଓଡ଼ିଶାରେ ବୁଥ ସଂଖ୍ୟା ଥିଲା ୩୭ହଜାର ୬୦୬। ଜିଲ୍ଲାପାଳଙ୍କ ପ୍ରସ୍ତାବ ଆଧାରରେ ବୁଥ ସଂଖ୍ୟା ବଢ଼ି ୩୭ହଜାର ୮୦୯ରେ ପହଞ୍ଚିଛି। ଚଳିତବର୍ଷ ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟର ସଂଖ୍ୟା ଥିଲା ୩କୋଟି ୨୩ଲକ୍ଷ ୫୨ହଜାର ୧୧୯। ଶେଷ ସଂଶୋଧନ ସୁଦ୍ଧା ଭୋଟର ସଂଖ୍ୟା ୩କୋଟି ୨୬ଲକ୍ଷ ୫୫ହଜାର ୨୧୩ରେ ପହଞ୍ଚିଛି। ୩ଲକ୍ଷ ୩ହଜାର ୯୪ ଜଣ ବା ୦.୯୪% ସାମିଲ ହୋଇଛନ୍ତି। ରାଜ୍ୟରେ ମହିଳା ଭୋଟରଙ୍କ ହାର ବଢ଼ିଛି। ରାଜ୍ୟରେ ପୁରୁଷ-ମହିଳା ଭୋଟର ହାର ବଢ଼ି ପ୍ରତି ହଜାର ପୁରୁଷରେ ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ବଢ଼ି ୯୬୩ରେ ପହଞ୍ଚିଛି। ମାତ୍ର ପୂର୍ବରୁ ଯେଉଁ ନିର୍ବାଚନମଣ୍ଡଳୀରେ ମହିଳା ଭୋଟରଙ୍କ ହାର କମ୍ ଥିଲା ସେଠାରେ ସ୍ଥିତିରେ ସୁଧାର ହୋଇଛି। ଯୁବ ଭୋଟର ଏହି ସଂଶୋଧନ ପ୍ରକ୍ରିୟାରେ ଆବେଦନ କରନ୍ତୁ। ନଭେମ୍ବର ୫, ୧୧, ୧୯ ଓ ୨୫ରେ ପ୍ରତ୍ୟେକ ବୁଥରେ ବୁଥସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ। ସେହିପରି ଶାରୀରିକ ଅକ୍ଷମ ଭୋଟରଙ୍କୁ ଭୋଟ କେନ୍ଦ୍ରକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ତାଙ୍କ ଘରକୁ ଗାଡ଼ି ପଠାଯିବା ସହିତ ଭୋଟ ଦେବା ପରେ ତାଙ୍କୁ ଘରେ ଛାଡ଼ିବାର ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ଧଳ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button