ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଆଧୁନିକରଣ ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଏକ ବୈଠକ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗଣେଶ୍ୱର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶା ପ୍ରଭାରୀ ଡା. ଏ ଚେଲ୍ଲା କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ ଏବଂ ଗଣମାଧ୍ୟମ ବିଭାଗର ବହୁ ନେତୃବୃନ୍ଦ ଯୋଗଦେଇଥିଲେ । ଏହି ବୈଠକରେ ଦୀର୍ଘ ଆଲୋଚନା କ୍ରମେ ନିମ୍ନମତେ ନିଷ୍ପତି ଗ୍ରହଣ କରାଯାଇଛି।

ଗଣମାଧ୍ୟମ ବିଭାଗରେ ସଂଗ୍ରହକାରୀ ସର୍ବଶ୍ରୀ ଗଣେଶ୍ୱର ବେହେରା, ପଂଚାନନ କାନୁନଗୋ, ପ୍ରଶାନ୍ତ ଶତପଥି, ସୁର୍ଦଶନ ଦାସ ଓ ଅମିୟ ପାଣ୍ଡବଙ୍କୁ ନେଇ ଏକ ୫ ଜଣିଆ ତଥ୍ୟ ସଂଗ୍ରହକାରୀ କମିଟି ଗଠନ କରାଯାଇ ସମସ୍ତ ମୁଖପାତ୍ର ମାନଙ୍କୁ ତଥ୍ୟ ସହାୟତା ଦିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧି ନୀତି ପ୍ରସଙ୍ଗରେ ରାଜ୍ୟ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ନିରବିଚ୍ଛିନ୍ନ ପର୍ଦ୍ଦାଫାଶ କରାଯିବ । ନଭେମ୍ବର ଦ୍ୱିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ମୁଖ୍ୟ ମୁଖପାତ୍ରଙ୍କୁ ନେଇ ରାଜ୍ୟସ୍ତରୀୟ ମୁଖପାତ୍ର ସମ୍ମିଳନୀ ଆୟୋଜିତ ହେବ । ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମକୁ ଅଧିକ କ୍ରିୟାଶୀଳ କରିବା ସହ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରରୁ କର୍ମକର୍ତାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ସଂଯୋଗ କରାଯିବ ।

ଡା.ଚେଲ୍ଲା କୁମାର ଅଭିମତ ରଖିଥିଲେ ଯେ ମୁଖ୍ୟମନ୍ତ୍ରୀ ଅତି ଚତୁରତାର ସହିତ ଅନ୍ୟଜଣକୁ ମୋହରା ବନାଇ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ସମସ୍ତ ଅନୀତି ଓ ଅପକର୍ମର ସେ ହେଉଛନ୍ତି ମୁଖ୍ୟ ସ୍ଥପତି । ଏହାକୁ ଜନସାଧାରଣଙ୍କ ପାଖରେ ପଂହଚାଇବା ଗଣମାଧ୍ୟମ ବିଭାଗର ମୁଖ୍ୟ ଭୂମିକା ବୋଲି ପ୍ରକାଶ କରିଥିଲେ। ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ କହିଥିଲେ ଯେ କଂଗ୍ରେସର ଲକ୍ଷ୍ୟ ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ସରକାର ପ୍ରତିଷ୍ଠା କରିବା । ଏ ଦିଗରେ ଗଣମାଧ୍ୟମ ବିଭାଗର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ରହିଛି । ଏଥିପ୍ରତି ସଚେତନ ରହି ସଂକଳ୍ପବଦ୍ଧ ଭାବରେ ଗଣମାଧ୍ୟମ ବିଭାଗର ସମସ୍ତ କାର୍ଯ୍ୟକର୍ତା କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ।

ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନେଇ ନିୟମିତ ଭାବେ ପ୍ରତି ସପ୍ତାହରେ ଅଧିକ ସାମ୍ବାଦିକ ସମ୍ମିଳନୀ କରାଯାଇ ଲୋକଙ୍କ ପାଖରେ ପଂହଚିବା ଏକାନ୍ତ ଅପରିହାର୍ଯ୍ୟ ଏବଂ ତାହା ନିଷ୍ଠାର ସହ ଅନୁପାଳନ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରକାଶ କରିଥିଲେ । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପୂର୍ବତନ ବିଧାୟକ ତଥା ପିସିସି ମୁଖପାତ୍ର ଡ. ଦେବାଶିଷ ପଟ୍ଟନାୟକ, ପିସିସି ମୁଖପାତ୍ର ତଥା ବରିଷ୍ଠ ନେତା ବିଭୁତି ଭୂଷଣ ମିଶ୍ର, ମନୋରଞ୍ଜନ ଦାଶ, ସୁଦର୍ଶନ ଦାସ, ପ୍ରଶାନ୍ତ ଶତପଥି, ଅମିୟ ପାଣ୍ଡବ, ପଦ୍ମାକର ଗୁରୁ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, କୃଷ୍ଣଚନ୍ଦ୍ର ପତି, ରଶ୍ମି ମହାପାତ୍ର, ଅପର୍ଣ୍ଣାଧିର ସିଂ, ଅମିତ ମହାନ୍ତି, ନାରାୟଣ ଚନ୍ଦ୍ର ଜେନା ଓ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ନିଜର ମତାମତ ରଖିଥିଲେ।

Leave a Reply

Your email address will not be published. Required fields are marked *

Back to top button