କେରଳରେ ବିସ୍ଫୋରଣ : ମୁମ୍ବାଇ-ଦିଲ୍ଲୀରେ ହାଇ ଆଲର୍ଟ

ତ୍ରିଶୁର : କେରଳ ଏର୍ଣ୍ଣାକୁଲମା କନ୍‌ଭେନ୍‌ସନ୍‌ ହଲ୍‌ରେ ପ୍ରାର୍ଥନା ବେଳେ ବିସ୍ଫୋରଣ। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀକରି ଡୋମିନିକ ମାର୍ଟିନ ନାମକ ଜଣେ ବ୍ୟକ୍ତି ପୋଲିସରେ ଆତ୍ମସମର୍ପଣ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ବିସ୍ଫୋରଣ ପାଇଁ ଆଇଇଡି ଓ ଇନ୍‌ସେଣ୍ଡିୟରୀ ଡିଭାଇସ୍‌ର ବ୍ୟବହାର କରାଯାଇଥିଲା। ଯାହାକୁ ଟିଫିନ ଭିତରେ ଲୁଚାଇ ରଖାଯାଇଥିଲା ବୋଲି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି। ଆଜି ସକାଳେ ଏର୍ଣ୍ଣାକୁଲମ ସ୍ଥିତ କନ୍‌ଭେନସନ୍‌ ହଲରେ ଖ୍ରୀଷ୍ଟ ଧର୍ମାବଳମ୍ବିଙ୍କ ପ୍ରାର୍ଥନା ଚାଲିଥିଲା। ଏହି ସମୟରେ ଘଟିଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଓ ୪୦ରୁ ଅଧିକ ଆହତ ହୋଇଛନ୍ତି। ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ପୋଲିସ କହିଛି କନ୍‌ଭେସନ୍‌ ସେଣ୍ଟରରେ ଆୟୋଜିତ ତିନି ଦିନିଆ କାର୍ଯ୍ୟକ୍ରମର ରବିବାର ଶେଷ ଦିନ ଥିଲା। ଏଥିପାଇଁ ପାଖାପାଖି ୨ ହଜାରରୁ ଅଧିକ ଲୋକେ ଏକାଠି ହୋଇଥିଲେ। ପ୍ରାର୍ଥନା କରିବା ବେଳେ ଅର୍ଥାତ ସକାଳ ୯.୩୦ରେ ଲଗାତର ତିନିଥର ବିସ୍ଫୋରଣ ହେବାରୁ ଲୋକେ ଭୟଭୀତ ହୋଇ ଏଣେ ତେଣେ ଦୌଡିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏନଆଇଏ, ଓ କେରଳ ପୋଲିସ। ଏହି ସିରିଜ ବିସ୍ଫୋରଣର ତଦନ୍ତ ଏନ୍‌ଆଇ ଓ ଏନ୍‌ଏସ୍‌ଜି କରୁଛନ୍ତି।

ବିସ୍ଫୋରଣରେ ଆହତ ଲୋକଙ୍କୁ ସବୁ ପ୍ରକାର ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟଙ୍କୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଡାକ୍ତରମାନଙ୍କୁ ଡ୍ୟୁଟିରେ ଆସିବାକୁ କହିଛନ୍ତି। ଅନ୍ୟପକ୍ଷରେ ବିସ୍ଫୋରଣ ଖବର ପାଇ ଗୃହମନ୍ତ୍ରୀ ଅମିତ ଶାହ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି। ଏହାଛଡା କେରଳ ବିସ୍ଫୋରଣ ପରେ ଦେଶର ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ, ମହାରାଷ୍ଟ୍ର ଓ ତାମିଲନାଡୁରେ ହାଇ ଆଲର୍ଟ ଜାରି କରାଯାଇଛି। ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button