ବିକାଶର ନୂଆ ଶିଖରରେ ପହଞ୍ଚିବ ଓଡ଼ିଶାର ସବୁ ଗାଁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ରାୟଗଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରେ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଯୋଗେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏହି ଯୋଜନାରେ ରାୟଗଡ଼ା ଜିଲ୍ଲାକୁ ମିଳିଛି ୯୧ କୋଟି। ଏଥିରେ ଜିଲ୍ଲାର ତିନିଟି ନିର୍ବାଚନମଣ୍ଡଳୀର ୧୮୨ ଗ୍ରାମପଞ୍ଚାୟତରେ ୨୬୧୩ଟି ପ୍ରକଳ୍ପ ହେବ। ଝାରସୁଗୁଡ଼ା ଜିଲ୍ଲାକୁ ମିଳିଛି ୩୯ କୋଟି ଟଙ୍କା। ଏଥିରେ ଜିଲ୍ଲାର ଦୁଇଟି ନିର୍ବାଚନମଣ୍ଡଳୀର ୭୮ଟି ଗ୍ରାମପଞ୍ଚାୟତରେ ୯୫୭ଟି ପ୍ରକଳ୍ପ କରାଯିବ।

ସୋମବାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁ ଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ଆମର ସୁଦୃଢ଼ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡ଼ିଶା ତା’ର ଡେଣାକୁ ଆହୁରି ପ୍ରସାରିତ କରିବ। ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମକୁ ସଂଯୋଜନା କରି କହିଲେ, ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଜନ ଅଭିଯୋଗ ଶୁଣାଣି ଭିତ୍ତିରେ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ରାୟଗଡ଼ା ଜିଲ୍ଲାରେ ୨୭ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୬.୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ‌ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଆଦିର ବିକାଶ ସହ କିଛି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ହୀରାକୁଦ ବିସ୍ଥାପିତମାନଙ୍କ ପାଇଁ ଦୀର୍ଘ ବର୍ଷର ସମସ୍ୟାକୁ ସମାଧାନ କରି ରାଜ୍ୟ ସରକାର ସେମାନଙ୍କୁ ଜମି ପଟ୍ଟା ଦେବାର ବ୍ୟବସ୍ଥା କରିଛନ୍ତି। ୧୮୦୦ରୁ ଅଧିକ ପରିବାରକୁ ୩୧୩୦ ଏକରରୁ ଅଧିକ ଜମି ପାଇଁ ପଟ୍ଟା ଯୋଗାଇଦିଆଯିବ। ଫେବ୍ରୁଆରି ସୁଦ୍ଧା ସମସ୍ତଙ୍କୁ ପଟ୍ଟା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ବୋଲି ୫-ଟି ଅଧ୍ୟକ୍ଷ କହିଥିଲେ। ମନ୍ତ୍ରୀ ଜଗନ୍ନାଥ ସାରକା, ବିଧାୟକ ମକରନ୍ଦ ମୁଦୁଲି, ରଘୁନାଥ ଗମାଙ୍ଗୋ, ଦୀପାଳି ଦାସ, ଅଳକା ମହାନ୍ତିଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

Back to top button