ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ୧୪ରୁ ବ୍ଲକ ଘେରାଉ କରିବ ବିଜେପି

ଭୁବନେଶ୍ଵର : ଓଡ଼ିଶାରେ ବର୍ଷକୁ ପ୍ରାୟ ୧ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ପଂଚାୟତରୁ ସଚିବାଳୟ ପର୍ଯ୍ୟନ୍ତ ସବୁଆଡେ ଦୁର୍ନୀତି ଓ ପିସି କାରବାର ଚାଲିଥିବା ବେଳେ ଏ ସରକାର କେବଳ ବିଜ୍ଞାପନରେ ବଂଚିଥିବା ବିଜେପି ଅଭିଯୋଗ ଆଣିଛି। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଆସନ୍ତା ୧୪ତାରିଖରୁ ୫ଦିନ ଧରି ରାଜ୍ୟର ସମସ୍ତ ବ୍ଲକ ଘେରାଉ କରାଯିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଖବର ଅନୁଯାୟୀ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଲେ ଓଡ଼ିଶାରେ ୨୩ ବର୍ଷର ଶାସନରେ କାଳରେ ଦୁର୍ନୀତି, ଭ୍ରଷ୍ଟାଚାର ଓ ମହିଳାବିରୋଧୀ ହିଂସା ବୃଦ୍ଧି ପାଇଛି। ଅଗଣତାନ୍ତ୍ରିକ ଓ ଅଣରାଜନୈତିକ ପଦ୍ଧତିରେ ଚାଲୁଛି ଶାସନ ବ୍ୟବସ୍ଥା। ଆଜି ପଂଚାୟତରୁ ବ୍ଲକ, ଜିଲ୍ଲା ସ୍ତରୀୟ ଅଫିସରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠାରେ ଖୁଲମଖୁଲା ଦୁର୍ନୀତି ଓ ପିସି କାରବାର ଚାଲିଛି। ରାଜ୍ୟରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ସରକାରଙ୍କ ଗୁମାସ୍ତାମାନେ ଏବେ ସାଧାରଣ ଓଡିଆ ଲୋକଙ୍କ ତଂଟି ଚିପିବା ପାଇଁ ବସିଛନ୍ତି। ଏ ସରକାର କେବଳ ବିଜ୍ଞାପନରେ ବଂଚିଥିବା ବେଳେ ସରକାରୀ ବିରୋଧୀ ଜନଆକ୍ରୋଶ ହେଉଛି ଆମର ପୁଞ୍ଜି ବୋଲି ସେ କହିଛନ୍ତିି।

ସେ କହିଲେ ଗତ ଦୁଇମାସ ତଳେ ବିଜେପି ସାରା ରାଜ୍ୟରେ ସମସ୍ତ ପଂଚାୟତରେ ଦୁର୍ନୀତି, ଅପାରଗତା, ଭ୍ରଷ୍ଟାଚାର ବିରୋଧରେ ଘେରାଉ କାର୍ଯ୍ୟକ୍ରମ କରିଥିଲା। ଏହି କାର୍ଯ୍ୟକ୍ରମରେ ଦଳକୁ ଅଭୂତପୂର୍ବ ଜନସମର୍ଥନ ମିଳିଛି। ସାଧାରଣ ଲୋକଙ୍କ ମନରେ ଏ ସରକାର ବିରୋଧରେ ଜନଆକ୍ରୋଶ ଭରପୂର ରହିଥିବା ପ୍ରମାଣିତ ହୋଇଛି। ସାଧାରଣ ଲୋକଙ୍କ ହକ୍ ପାଇଁ ଆମର ଲଢେଇ ଜାରି ରହିବ। ଆସନ୍ତା ନଭେମ୍ବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ବ୍ଲକ୍ ସମ୍ମୁଖରେ ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲୀପ ମଲ୍ଲିକଙ୍କ ସମେତ ମୁଖପାତ୍ର ଅନିଲ ବିଶ୍ୱାଳ ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button