ଜଟଣୀରେ ନାବାଳକକୁ ଘରେ ପଶି ହତ୍ୟା

ଜଟଣୀ : ବେଣାପଞ୍ଜରୀ ଗଡ଼ସାହି ଗାଁରେ ଅଜଣା ଦୁର୍ବୃତ୍ତର ଛୁରାମାଡ଼ରେ ଜଣେ ନାବାଳକର ମୃତ୍ୟୁ ହୋଇଛି। ମୃତକ ନାଁ ଶୁଭମ ସ୍ୱରୂପ ପାଲଟାସିଂ। ସେ ଷଣ୍ଢପୁର ଆଦର୍ଶ ବିଦ୍ୟାଳୟର ଛାତ୍ର ଥିଲେ। ହତ୍ୟାର କାରଣ ଜଣାପଡ଼ି ନାହିଁ। ସ୍କୁଲର ପୂର୍ବ ଗଣ୍ଡଗୋଳ କିମ୍ବା ପାରିବାରିକ ଶତ୍ରୁତାକୁ କେନ୍ଦ୍ରକରି ଏହି ଛୁରାମାଡ଼ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି।

ଖବର ଅନୁଯାୟୀ ବୁଧବାର ସଂଧ୍ୟାରେ ଶୁଭମ ଘରର ତଳ ମହଲାରେ ପଢ଼ୁଥିଲେ। ତାଙ୍କ ବାପା ଓ ଭଉଣୀ ଉପର ମହଲାରେ ପିଲାମାନଙ୍କୁ ଟ୍ୟୁସନ୍ କରୁଥିଲେ। ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇଥିଲା। ଶୁଭମ ଘର କବାଟ ଖୋଲିବା ପରେ ଦୁର୍ବୃତ୍ତଟି ଜବରଦସ୍ତ ଭିତରକୁ ପଶି ନାବାଳକଙ୍କ ପେଟ, ବେକ ଓ ଛାତିରେ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା। ଶୁଭମଙ୍କ ଚିତ୍କାର ଶୁଣି ମା’ ଧାଇଁଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଛଟପଟ ହେଉଥିବା ଦେଖି ପାଟି କରିଥିଲେ। ପରିବାର ଲୋକେ ଶୁଭମଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *

Back to top button