ପ୍ରତାପ ଓ ସଞ୍ଜୟଙ୍କୁ ମିଳିଲା ବିଜେଡି ସାଂଗଠନିକ ଦାୟିତ୍ଵ

ଭୁବନେଶ୍ଵର : ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କୁ ଆଜି ବିଜୁ ଜନତା ଦଳର ସାଂଗଠନିକ ଦାୟିତ୍ୱ ଦିଆଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଦୁଇ ନେତାଙ୍କୁ ନେତାଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଥିବା ବିଜେଡିର ସାଂଗଠନିକ ସଂପାଦକଙ୍କ ଜାରି କରିଥିବା ବିଜ୍ଞପ୍ତିରେ କୁହାଯାଇଛି।

ଖବର ଅନୁଯାୟୀ ପ୍ରତାପ ଜେନାଙ୍କୁ କେନ୍ଦ୍ରାପଡା ଓ ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ପୂର୍ବରୁ ପ୍ରମିଳା ମଲ୍ଲିକ କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ଥିଲେ। ସେ ବାଚସ୍ପତି ନିର୍ବାଚିତ ହେବା ପରେ ପ୍ରତାପଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ସେହିପରି ଦୀର୍ଘଦିନ ପରେ ସଞ୍ଜୟ ସାଙ୍ଗଠନିକ ଦାୟିତ୍ୱକୁ ଫେରିଛନ୍ତି। ପୂର୍ବରୁ ସେ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିଲେ। ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି। ଏବେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି। ତାଙ୍କ ଉପରେ ଭରସା ଓ ବିଶ୍ୱାସ ସହ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସଞ୍ଜୟ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ ସଞ୍ଜୟ ଦାସବର୍ମାଙ୍କୁ ୨୦୨୧ ଜୁନ୍ ମାସରେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ଓ ୨୦୨୨ ଜୁନ୍ ମାସରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଥିଲା। ସଞ୍ଜୟଙ୍କ ଭଳି ବରିଷ୍ଠ ନେତାଙ୍କୁ ପ୍ରାୟ ୨ବର୍ଷ ଧରି ଗୁରୁତ୍ଵ ଦିଆଯାଉନଥିଲା। ଏବେ ଦଳ ମୁଖିଆ ବୋଧହୁଏ ଅନୁଭବ କଲେଣି ଆଗାମୀ ସାଧାରଣ ନିର୍ବାଚନ ପାଇଁ ସଞ୍ଜୟଙ୍କର ଆବଶ୍ୟକତା ରହିଛି।

Leave a Reply

Your email address will not be published. Required fields are marked *

Back to top button