ଖଣି ବ୍ୟବସାୟୀଙ୍କ ୨୧ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ଵର : ଭୁବନେଶ୍ଵର ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡିର ଚଢଉ। ଓଡିଶାର ବିଭିନ୍ନ ସ୍ଥାନରେ ହୋଇଥିବା ଏହି ଚଢଉରେ ପ୍ରାୟ ୨୧.୧୫କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି।

ଖବର ଅନୁଯାୟୀ ହିମାଚଳ ପ୍ରଦେଶର ମେସର୍ସ ଇଣ୍ଡିଆନ ଟେକ୍ନୋମାକ୍ କମ୍ପାନୀ ଲିଃ (ଆଇଟିସିଓଏଲ) ବ୍ୟାଙ୍କ ଋଣ ଅର୍ଥରେ ଜାଲିଆତି କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ୨୦୦୯ରୁ ୨୦୧୩ ମଧ୍ୟରେ ଜାଲିଆତି କରି ଆଇଟିସିଓଏଲ୍ କମ୍ପାନୀ ବ୍ୟାଙ୍କ ଅଫ ଇଣ୍ଡିଆରୁ ଋଣ ଆଣିଥିଲା। ଏହି ଅର୍ଥକୁ ବେଆଇନ ଭାବେ ନିଜର ଅନ୍ୟ କମ୍ପାନୀ ଓ ଓଡ଼ିଶାର ଅନମୋଲ୍ ଖଣି କମ୍ପାନୀ ସହ ଯୌଥ ଉଦ୍ୟୋଗ ମାଧ୍ୟମରେ ବିନିଯୋଗ କରିଥିଲା। ଖଣି ବ୍ୟବସାୟୀ ଶକ୍ତିରଞ୍ଜନ ଦାଶ ଓ ସୌମ୍ୟା ସେଫାଳିକା ଦାଶଙ୍କ ମାଲିକାନାରେ ରହିଛି ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲମିଟେଡ। ବଡ଼ବିଲସ୍ଥିତ ୭ଟି ଜମି ଓ ଫ୍ଲାଟ୍, ଖୋର୍ଦ୍ଧାରେ ୬ଟି ଜମି, କଟକରେ ଗୋଟିଏ ଆବାସିକ ଫ୍ଲାଟ୍ ଓ ଭୁବନେଶ୍ୱରରେ ୪ଟି ସମ୍ପତ୍ତିକୁ ଇଡି ଜବତ କରିଛି।

ସୂଚନାଯୋଗ୍ୟ ଇଣ୍ଡିଆନ ଟେକ୍ନୋମେକ୍ କମ୍ପାନୀ ଓ ଏହାର ପ୍ରମୋଟରମାନଙ୍କ ଦ୍ୱାରା ଏହି ବ୍ୟାଙ୍କ ଋଣ ଜାଲିଆତି ବିରୁଦ୍ଧରେ ଇଡି ପାଖରେ ହିମାଚଳ ପ୍ରଦେଶ କ୍ରାଇମବ୍ରାଂଚ ଏଫଆଇଆର ରୁଜୁ କରିଥିଲା। ତଦନ୍ତବେଳେ ଜଣାପଡିଲା ଏହା ଏକ ସୁସଂଗଠିତ ବ୍ୟାଙ୍କ ଠକେଇ। ବ୍ୟାଙ୍କ ଅଫ ଇଣ୍ଡିଆରୁ ଇଣ୍ଡିଆନ ଟେକ୍ନୋମେକ୍ ଆଣିଥିବା ଋଣକୁ ସଠିକ ବିନିଯୋଗ କରିନଥିଲା। ନିଜର ଅନ୍ୟ ଏକ ସହାୟକ କମ୍ପାନୀ ଆଇଟିସିଓଏଲ୍ ହାଇଡ୍ରୋକାର୍ବନ ଲିମିଟେଡ୍ ଓ ଭୁବନେଶ୍ୱର ଅନମୋଲ ମାଇନ୍ସ ଲିଃ ସହ ଯୌଥ ଉଦ୍ୟୋଗ କରି ଋଣ ଅର୍ଥକୁ ବିନିଯୋଗ କରିଥିଲା। ଋଣ ଅର୍ଥରେ ଜମି କ୍ରୟ ଓ କୋଠା ନିର୍ମାଣ କରଯାଇଥିଲା। ଏହି ଆର୍ଥିକ ଠକେଇ ଅପରାଧରେ ପୂର୍ବରୁ ୨୮୮.୯୧କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ଏବେର ଜବତ ସମ୍ପତ୍ତିକୁ ମିଶାଇଲେ ଏହି ପରିମାଣ ମୋଟ ୩୧୦.୦୬ କୋଟି ଟଙ୍କା ହୋଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button